Latest Odisha News

ଦେବାଶିଷ ହେବେ ଝାଡଖଣ୍ଡ କୋଚ, ରଶ୍ମିଙ୍କୁ ତ୍ରିପୁରା ୨୩ ବର୍ଷରୁ କମ ଟିମର ଦାୟିତ୍ୱ

ଭୁବନେଶ୍ୱର: ଓଡିଶାର ପ୍ରଥମ ରଣଜୀ ଖେଳାଳି ଦେବାଶିଷ ମହାନ୍ତି ତଥା ସିନିୟର ଖେଳାଳି ରଶ୍ମିରଂଜନ ପରିଡା ଏବେ ଅନ୍ୟ ରାଜ୍ୟର କୋଚ ଦାୟିତ୍ୱ ତୁଲାଇବେ । ଆଗକୁ ବ୍ୟସ୍ତବହୂଳ ଘରୋଇ କ୍ରିକେଟ ପ୍ରତିଯୋଗିତା ରହିଛି । ଦେବାଶିଷ ଝାଡଖଣ୍ଡର କୋଚ ହେବା ବେଳେ ରଶ୍ମିଙ୍କୁ ତ୍ରିପୁରାର ୨୩ ବର୍ଷରୁ କମ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଦେବାଶିଷ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ୬ଟି ସିଜନରେ ଓଡିଶା କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ସେ ପ୍ରଥମ ଥର ପାଇଁ ଅନ୍ୟ ରାଜ୍ୟର ଦାୟିତ୍ୱ ନେବେ । ଦେବାଶିଷ କିଛି ବର୍ଷ ଧରି ବିସିସିଆଇର ଜୁନିୟର ଓ ସିନିୟର ଚୟନ କମିଟି ସଦସ୍ୟ ଥିଲେ । ଏବେ ତାଙ୍କ ନିକଟରେ କିଛି ଦାୟିତ୍ୱ ନ ଥିବାରୁ ସେ ପୁନର୍ବାର ପ୍ରଶିକ୍ଷଣ ଫିଲ୍ଡକୁ ଫେରି ଆସିଛନ୍ତି । ଅନ୍ୟ ଏକ ରାଜ୍ୟର ଗୁରୁ ଦାୟିତ୍ୱ ରହିଥିବାରୁ ଏହା ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ହେବ ବୋଲି ସେ କହିଛନ୍ତି । ଝାଡଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏଶନ ମଧ୍ୟ ଦେବାଶିଷଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଅପରପକ୍ଷରେ ରଶ୍ମି ମଧ୍ୟ ୩ ଥର ଓଡିଶା କୋଚ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ପ୍ରଶିକ୍ଷଣରେ ଓଡିଶା ଶେଷ ଥର ପାଇଁ କ୍ୱାର୍ଟରଫାଇନାଲ ଖେଳିଥିଲା । ସେ ଓଡିଶା ବ୍ୟତୀତ ଆସାମ, ରାଜସ୍ଥାନ, ହିମାଚଳପ୍ରଦେଶ ଓ ବିଦର୍ଭ ପକ୍ଷରୁ ଖେଳିତ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଓଡିଆ ଖେଳାଳି ଭାବେ ଦୁଇ ଥର ରଣଜୀ ଜିତିଥିବା ଟିମର ସଦସ୍ୟ ରହିଛନ୍ତି । ତ୍ରିପୁରାର ଯୁବ ଟିମ ତାଙ୍କ ପ୍ରଶିକ୍ଷଣରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

Comments are closed.