Latest Odisha News

BREAKING NEWS

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କଲେ ମହାପ୍ରଭୁ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ପୁରୀରେ ଶ୍ରୀଜୀଉମାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ପାରମ୍ପରିକ ରୀତି ନୀତି ଅନୁସାରେ ରତ୍ନବେଦୀରୁ ଆସି ସ୍ନାନମଣ୍ଡପରେ ବିଜେ ହୋଇସାରିଲେଣି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର, ସାନଭଉଣୀ ଦେବୀ ସୁଭଦ୍ରା ତଥା ଚକ୍ରରାଜ ଶ୍ରୀସୁଦର୍ଶନ । ସ୍ନାନବେଦୀ ଆଜି ରଙ୍ଗବେରଙ୍ଗୀ ପୁଷ୍ପହାରରେ ସଜ୍ଜିତ ହୋଇଛି । ସ୍ନାନମଣ୍ଡପରେ ନୂଆ ରଙ୍ଗ ଲାଗି ଚହଟୁଛି ବେଦୀ । ବଡ଼ଦାଣ୍ଡରେ ଉପସ୍ଥିତ ରହିଥିବା ଶ୍ରଦ୍ଧାଳୁଙ୍କ ସମେତ ସମସ୍ତ ଦଇତାପତି ସେବକ ତଥା ଶ୍ରୀମନ୍ଦିର ସେବାୟତଙ୍କ ମନରେ ଭରିଯାଇଛି ଆନନ୍ଦ ଉଲ୍ଲାସ । ପୌରାଣିକ କଥାବସ୍ତୁ ଅନୁସାରେ ଆଜି ଶ୍ରୀଜୀଉମାନଙ୍କ ଜନ୍ମତିଥି । ଏହି ଜନ୍ମତିଥିରେ ଶ୍ରୀଜୀଉମାନେ ସୁନାକଳସୀ ଜଳରେ ମହାନନ୍ଦରେ ମହାସ୍ନାନ କରିବାର ବିଧିକୁ ବିଶ୍ୱର କୋଟି କୋଟି ଶ୍ରଦ୍ଧାଳୁ ଦର୍ଶନ କରିବେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି ଭକ୍ତଜନଙ୍କ ହୃଦୟରେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂରତି ରତ୍ନ ସିଂହାସନରୁ ସ୍ନାନବେଦୀକୁ ବିରାଜମାନ କରିଥାଆନ୍ତି । ପରମ୍ପରା ତଥା ଶ୍ରୀମନ୍ଦିରର ନୀତି ଅନୁଯାୟୀ ଶ୍ରୀମନ୍ଦିର ବାହାରେ ଥିବା ଶୀତଳାଦେବୀଙ୍କ ନିକଟସ୍ଥ ସୁନା କୂଅରୁ ଜଳ ବାହାର କରି କଳସରେ ଅଣାଯାଇଥାଏ । ସ୍ନାନ ପୂର୍ଣ୍ଣିମା ଦିନ ଏହି ଜଳକୁ ଗରାରେ ଅଣାଯାଇ ସେଥିରେ ଚୂଆ, ଚନ୍ଦନ, କର୍ପୂର ଇତ୍ୟାଦି ସୁବାସିତ ପଦାର୍ଥ ମିଶ୍ରଣ କରାଯାଇଥାଏ । ଏହାପରେ ଶ୍ରୀଜୀଉମାନଙ୍କୁ ଏହି ଜଳରେ ସ୍ନାନ କରାଯାଇଥାଏ । ସୁନାକୂଅରୁ ୧୦୮ ଗରା ଜଳ ଆସିବା ପରେ ଶ୍ରୀଜଗନ୍ନାଥଙ୍କୁ ୩୫ ଗଡୁ, ଶ୍ରୀବଳଭଦ୍ରଙ୍କୁ ୩୩ ଗଡୁ ଓ ଦେବୀ ସୁଭଦ୍ରାଙ୍କୁ ୨୨ ଗଡୁ ଜଳରେ ସ୍ନାନ କରାଯାଏ । ସେହିପରି ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ୧୮ ଗଡୁ ଜଳ ରେ ସ୍ନାନ କରିବା ବିଧି ରହିଛି ।

ଏହାପରେ ଶ୍ରୀଜୀଉମାନଙ୍କୁ ଗଜ ବା ହାତୀ ବା ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶକୁ ଦର୍ଶନ କରି କୋଟି କୋଟି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥାଆନ୍ତି । ଏହି ସ୍ନାନବିଧିକୁ ସ୍ୱଚକ୍ଷୁରେ ଦର୍ଶନ କରିବା ଲାଗି ଆଜି ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି । ଭଗବାନଙ୍କର ଏହି ପବିତ୍ର ବେଶକୁ ଟିକେ ମନଭରି ଦେଖିବାକୁ ଶ୍ରଦ୍ଧାଳୁମାନେ ବହୁ ଦୂରଦୂରାନ୍ତରୁ ଆସି ପୁରୀଠାରେ ଭିଡ଼ ଜମାଇଛନ୍ତି ।

Leave A Reply

Your email address will not be published.