Latest Odisha News

BREAKING NEWS

ଭାରତୀୟ ରାଜନୀତିରେ ନିଖୋଜ ମହିଳା

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଗଠିତ ହୋଇଛି ଅଷ୍ଟାଦଶ ଲୋକସଭା । ଭାରତୀୟ ସଂସଦର ଶକ୍ତିଶାଳୀ ନିମ୍ନ ସଦନ ଲୋକସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ଏଥର ମଧ୍ୟ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଆଶାନୁରୂପକ ହୋଇନାହିଁ । ବରଂ ପୂର୍ବ ଲୋକସଭା ଅପେକ୍ଷା ଏଥର କମ୍ ସଂଖ୍ୟକ ମହିଳା ନିର୍ବାଚିତ ହୋଇଛନ୍ତି । ଭାରତୀୟ ରାଜନୀତିରେ ମହିଳାଙ୍କ ସକ୍ରିୟ ଭୂମିକା ଏବଂ ବିଧାନସଭା ଓ ସଂସଦରେ ସେମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ କଥା ବାରମ୍ବାର କୁହାଯାଉଥିଲେ ମଧ୍ୟ ଏହା କାର୍ଯ୍ୟରେ ପରିଣତ ହୋଇ ପାରୁନାହିଁ । ଏ କ୍ଷେତ୍ରରେ ଯାହା କିଛି ବି ପ୍ରଗତି ହୋଇଛି, ତାହା ଯଥେଷ୍ଟ ନୁହେଁ ।

ସଦ୍ୟ ସଂପନ୍ନ ସାଧାରଣ ନିର୍ବାଚନରେ ବିଜୟ ପରାଜୟର କୋଳାହଳ ମଧ୍ୟରେ ନବଗଠିତ ଲୋକସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ନେଇ ପୁଣି ଥରେ ଚର୍ଚ୍ଚା ସରଗରମ ହୋଇଛି । ଏଥର ଲୋକସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଗତଥରଠୁ କମ୍ ରହିଛି, ଯାହା କି ପୂର୍ବରୁ ହିଁ କମ୍ ରହିଆସିଛି । ଭାରତୀୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଅଷ୍ଟାଦଶ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ମୋଟ ସଦସ୍ୟ ସଂଖ୍ୟାର ମାତ୍ର ୧୩ ଦଶମିକ ୬୩ ପ୍ରତିଶତ । ଗତ ଲୋକସଭାରେ ଏହି ପ୍ରତିଶତ ଥିଲା ୧୪ ଦଶମିକ ୩୬ । ୨୦୧୯ ସାଧାରଣ ନିର୍ବାଚନରେ ୭୮ ଜଣ ମହିଳା ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ନିର୍ବାଚିତ ହୋଇଛନ୍ତି ୭୪ । ମହିଳାଙ୍କ ସଂଖ୍ୟା ବଢିବା ପରିବର୍ତ୍ତେ କମିଛି । ଏଭଳି ସ୍ଥିତି ଆମଦେଶରେ ପ୍ରଚଳିତ ସାମାଜିକ ଓ ରାଜନୈତିକ ବାତାବରଣ ଉପରେ ଏକ ଗମ୍ଭୀର ଟିପ୍ପଣୀ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତ ଭଳି ବିଶାଳ ଓ ଜନବହୁଳ ଦେଶରେ ମହିଳାମାନଙ୍କ ପାଇଁ ଆଜିକାଲି କୌଣସି କ୍ଷେତ୍ର ଆଉ ଅଛୁଆଁ ହୋଇ ରହିନାହିଁ । ସବୁ କ୍ଷେତ୍ରରେ ମହିଳାମାନେ ଆଗକୁ ବଢୁଛନ୍ତି । ସର୍ବୋଚ୍ଚ ପଦପଦବୀରେ ବସିପାରିଛନ୍ତି । ହେଲେ ରାଜନୀତିରେ ଏହାର ବ୍ୟତିକ୍ରମ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଆମଦେଶରେ ‘ରାଜନୀତି’ ଏବେ ବି ପୁରୁଷମାନଙ୍କର ହିଁ ବିଶେଷ ଅଧିକାର ହୋଇ ରହିଛି ବୋଲି ବିନା ଦ୍ୱିଧାରେ କୁହାଯାଇପାରିବ ।
ଏହା ସତ ଯେ, ଗତ କିଛି ବର୍ଷ ହେବ ଲୋକସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ପ୍ରଚେଷ୍ଟା କରାଯାଇଛି । କିନ୍ତୁ ଏଦିଗରେ ପ୍ରଗତି ବେଶ୍ ଧୀମା ଓ ଅସ୍ଥିର ରହିଛି । ୧୯୫୨ ମସିହାରେ ଲୋକସଭାର ମୋଟ ସଦସ୍ୟଙ୍କ ମଧ୍ୟରୁ ୪ ଦଶମିକ ୪୧ ପ୍ରତିଶତ ଥିଲେ ମହିଳା । ଦଶ ବର୍ଷ ପରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ୬ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୧୯୭୧ ନିର୍ବାଚନରେ ଲୋକସଭାରେ ହ୍ରାସ ପାଇ ଥିଲା ମହିଳା ପ୍ରତିନିଧିଙ୍କ ସଂଖ୍ୟା । ଏହି ସଂଖ୍ୟା ୪ ପ୍ରତିଶତକୁ ଖସି ଆସିଥିଲା । ଏଠାରେ ସ୍ମରଣଯୋଗ୍ୟ ଯେ, ସେତେବେଳେ ଇନ୍ଦିରା ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ଥିଲେ । ୧୯୭୧ ନିର୍ବାଚନ ପରଠାରୁ କିଛି ବ୍ୟତିକ୍ରମକୁ ବାଦ ଦେଲେ ମହିଳା ପ୍ରତିନିଧିତ୍ୱ ବଢିଥିଲେ ମଧ୍ୟ ସଂଖ୍ୟା ଉଲ୍ଲେଖନୀୟ ନୁହେଁ । ୨୦୦୯ ସାଧାରଣ ନିର୍ବାଚନରେ ହିଁ ଲୋକସଭାରେ ମହିଳା ପ୍ରତିିନିଧିଙ୍କ ସଂଖ୍ୟା ୧୦ ପ୍ରତିଶତ ଅତିକ୍ରମ କରିଥିଲା । ୨୦୧୯ରେ ଏହି ସଂଖ୍ୟା ସର୍ବାଧିକ ୧୪ ଦଶମିକ ୩୬ ପ୍ରତିଶତ ଛୁଇଁଥିଲା । ଏଥର ପୁଣି ଲୋକସଭାରେ ମହିଳା ପ୍ରତିନିଧିତ୍ୱ ହ୍ରାସ ପାଇଛି । ପାର୍ଲାମେଂଟରେ ମହିଳାଙ୍କ ପ୍ରତିନିଧିତ୍ୱ କ୍ଷେତ୍ରରେ ଭାରତ ଦକ୍ଷିଣ ଆଫ୍ରିକା ( ୪୬ ପ୍ରତିଶତ ), ବ୍ରିଟେନ ( ୩୫ ପ୍ରତିଶତ ) ଓ ଆମେରିକା ( ୨୯ ପ୍ରତିଶତ ) ଭଳି ଦେଶଠାରୁ ବହୁ ପଛରେ ପଡିଛି ।
୨୦୦୮ ମସିହାରେ ପାର୍ଲାମେଣ୍ଟରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ଦୀର୍ଘ ୧୫ ବର୍ଷ ଧରି ଲଟକି ରହିବା ପରେ ଗତବର୍ଷ ଗୃହୀତ ହୋଇଛି । ତେବେ, ବୈଷୟିକ କାରଣରୁ ମହିଳା ସଂରକ୍ଷଣ ଅଧିନିୟମ ( ନାରୀଶକ୍ତି ବନ୍ଦନ ଅଧିନିୟମ )ର କାର୍ଯ୍ୟକାରିତା ୨୦୨୯ ଯାଏଁ ସ୍ଥଗିତ ରଖାଯାଇଛି । ଆଶା କରାଯାଇପାରେ ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ କାର୍ଯ୍ୟକାରୀ ହେଲେ ହୁଏତ ପରିସ୍ଥିତିରେ ଉନ୍ନତି ଆସିବ । ତେବେ, ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ଉପଯୁକ୍ତ ପ୍ରତିନିଧିତ୍ୱର ଅଭାବ ପାଇଁ ରାଜନୈତିକ ଦଳଗୁଡିକର ରକ୍ଷଣଶୀଳ ଆଭିମୁଖ୍ୟ ଦାୟୀ ବୋଲି ଅନେକ କହନ୍ତି । ନବେ ଦଶକରେ ପଂଚାୟତ ଓ ନଗରପାଳିକାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ଆସନ ସଂରକ୍ଷଣ ପ୍ରସ୍ତାବକୁ କେହି ବିରୋଧ କରିନଥିଲେ । କିନ୍ତୁ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ପାଇଁ କେହି ଆଗଭର ହୋଇନଥିଲେ । ଭାରତୀୟ ନିର୍ବାଚନୀ ରାଜନୀତି ପୁରୁଷ ପ୍ରଧାନ ହୋଇ ରହିଆସିଛି । ମହିଳାମାନେ ନିର୍ବାଚନୀ ରାଜନୀତିରେ ପାରିବେ ନାହିଁ ବୋଲି ରହିଆସିଥିବା ଧାରଣା ସହଜରେ ବଦଳି ପାରୁନାହିଁ । ପୂର୍ବାପେକ୍ଷା ଆଜିକାଲି ବିଭିନ୍ନ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବଢିଛି ସତ, କିନ୍ତୁ ଏହି ସଂଖ୍ୟା ସନ୍ତୋଷଜନକ ବୋଲି ବି କହିହେବ ନାହିଁ । ରାଜନୀତି କ୍ଷେତ୍ରରେ ସମାନତା ପାଇଁ ଆଜି ବି ଭାରତୀୟ ମହିଳାମାନେ ସଂଘର୍ଷ କରୁଛନ୍ତି । କିଛି ସଫଳ ବି ହୋଇଛନ୍ତି । ଦେଖାଯାଇଛି ଯେ, ରାଜନୈତିକ ଦଳଗୁଡିକ ଅନେକ ସମୟରେ ରାଜନୈତିକ ପରିବାର ସହ ଜଡିତ ଥିବା ମହିଳା ଓ ଆର୍ଥିକ ସମ୍ବଳ ଜୁଟାଇପାରିବାର ସାମର୍ଥ୍ୟ ରଖୁଥିବା ମହିଳାମାନଙ୍କୁ ଟିକେଟ ଦେଇଥାଆନ୍ତି । ଏହାଛଡା ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ମଧ୍ୟ ପ୍ରାର୍ଥୀ କରିଥାଆନ୍ତି । ଏଭଳି ପ୍ରାର୍ଥୀ ନିର୍ବାଚିତ ହେଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଧାନସଭା / ସଂସଦରେ ସକ୍ରିୟ ରହନ୍ତି ନାହିଁ । ସେମାନଙ୍କ ସ୍ୱର ଶୁଭେ ନାହିଁ । ରାଜନୈତିକ ଦଳର ସଂଖ୍ୟାବୃଦ୍ଧିରେ ହିଁ ଏଭଳି ଜନପ୍ରତିନିଧିମାନେ ସହାୟକ ହୋଇଥାଆନ୍ତି । ଅନ୍ୟପଟେ ଅନେକ ଯୋଗ୍ୟ ମହିଳାମାନଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଏ ନାହିଁ । କାହାକୁ କାହାକୁ ସୁଯୋଗ ମିଳିଲେ ମଧ୍ୟ ସେମାନଙ୍କୁ ଏକ ପ୍ରକାର ଅଣଦେଖା କରାଯାଇଥାଏ । ରାଜନୈତିକ ଦଳଗୁଡିକର ଏଭଳି ଆଭିମୁଖ୍ୟ ମଧ୍ୟ ଗ୍ରହଣୀୟ ନୁହେଁ ।
ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୭୯୭ । ବିଗତ କିଛି ଲୋକସଭା ନିର୍ବାଚନ ତୁଳନାରେ ଏଥର ମହିଳା ପ୍ରାର୍ଥୀଙ୍କ ସଂଖ୍ୟା କିଛି ଅଧିକ ଥିଲା । ହେଲେ ସେମାନଙ୍କ ବିଜୟ ପ୍ରତିଶତ କମ୍ । ଏଭଳି ପରିସଂଖ୍ୟନ ମହିଳାମାନଙ୍କ ପାଇଁ ନିରୁତ୍ସାହଜନକ ନିଶ୍ଚୟ । ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ଦୃଷ୍ଟିରୁ ସାରାବିଶ୍ୱରେ ଭାରତର ସ୍ଥାନ ୧୫୦ । ଏହା କ’ଣ ଆମ ପାଇଁ ଗ୍ରହଣୀୟ ? ଗଣତନ୍ତ୍ରର ଜନନୀ ଭାବେ ପରିଚିତ ଭାରତର ଅଧା ଜନସଂଖ୍ୟାକୁ ଯଦି ଉପଯୁକ୍ତ ରାଜନୈତିକ ପ୍ରତିନିଧିତ୍ୱ ମିଳିବ ନାହିଁ , ତାହା ହେଲେ ବିକାଶ ଅଧୁରା ହିଁ ରହିଯିବ ।
ଭାରତୀୟ ସମାଜରେ ମହିଳାଙ୍କ ସ୍ଥିତି ଓ ଆମର ନିର୍ବାଚନୀ ବ୍ୟବସ୍ଥାର ବାସ୍ତବତା ଦୃଷ୍ଟିରୁ ବିନା ସଂରକ୍ଷଣରେ ସଂସଦ ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସମ୍ଭବ ନୁହେଁ । ସଂସଦ ଓ ବିଧାନସଭା ଭଳି ଅନୁଷ୍ଠାନ ଲୋକଙ୍କ ପ୍ରତିନିଧିତ୍ୱ ପାଇଁ ହିଁ ତ ରହିଛି । ଯଦି ଅଧା ଜନସଂଖ୍ୟାକୁ ପ୍ରତିନିଧିତ୍ୱ ନମିଳେ, ତାହା ହେଲେ ଆମ ବ୍ୟବସ୍ଥାରେ କିଛି ନା କିଛି ତ୍ରୁଟି ରହିଛି ବୋଲି ସ୍ୱୀକାର କରିବାକୁ ପଡିବ ।

Leave A Reply

Your email address will not be published.