ଡିପଫେକ୍ ଭିଡିଓ ନେଇ ମୋଦିଙ୍କ ଉଦବେଗ, ଏଭଳି ଭିଡିଓ ଚିହ୍ନଟ କରି ଲୋକଙ୍କୁ ସତର୍କ କରାଇବାକୁ ଚାଟ୍ ଜିପିଟିକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ‘ଡିପ୍ଫେକ୍’ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ବଢୁଛି ଡିପଫେକ୍ ଭିଡିଓ। ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ‘ଡିପ୍ଫେକ୍’ ଭିଡିଓ ଅନ୍ଲାଇନରେ ଭାଇରାଲ ହୋଇଥିଲା। ମନ୍ଦାନାଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ସମେତ ଅନେକ ବଡ ବ୍ୟକ୍ତିତ୍ୱ ‘ଡିପ୍ଫେକ୍’ ଭିଡିଓର ଶିକାର ହୋଇଛନ୍ତି। ବର୍ତ୍ତମାନ ଏହି ଡିପଫେକ୍ ଭିଡିଓ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି। ଏଥିପାଇଁ ସତର୍କ ରହିବାକୁ ସେ ଜନତାଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଏଭଳି ଭିଡିଓ ଆସିଲେ ଚିହ୍ନଟ କରି ଲୋକମାନଙ୍କୁ ସତର୍କ କରିବାକୁ ଚାଟ୍ ଜିପିଟିକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୋଦି କହିଛନ୍ତି ଯେ ଇଣ୍ଟରନେଟରେ ଏଭଳି ଭିଡିଓ ପ୍ରସାରିତ ହେବାପରେ ସେ ଚାଟ୍ ଜିପିଟି ଟିମକୁ ଡିପଫେକ୍ ଭିଡିଓକୁ ଚିହ୍ନଟ କରି ସେମାନଙ୍କୁ ଚେତାବନୀ ଦେବାକୁ କହିଛନ୍ତି। ସେହିପରି ଗଣମାଧ୍ୟମ ଲୋକଙ୍କୁ ଏହି ବିଷୟରେ ଶିକ୍ଷା ଦେବା ଜରୁରୀ ବୋଲି କହିଛନ୍ତି। ଯେଉଁ ବ୍ୟକ୍ତି ଏହାର ଶିକାର ହେଉଛନ୍ତି ସେମାନଙ୍କୁ ପୋଲିସ ଅଭିଯୋଗ ଦାଖଲ କରିବାକୁ ଏବଂ “ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ଅନୁଯାୟୀ ପ୍ରଦାନ କରାଯାଇଥିବା ପ୍ରତିକାରର ଉପଯୋଗ” କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି।
ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଭୁଲ ତଥ୍ୟର ପ୍ରସାରକୁ ରୋକିବା ନିମନ୍ତେ ଅନଲାଇନ୍ ପ୍ଲାଟଫର୍ମ ପାଇଁ ଏହା ଏକ “ଆଇନଗତ ଦାୟିତ୍ୱ”। ନିକଟରେ ରାଜନେତାମାନଙ୍କର ‘ଡିପଫେକ୍’ ଫଟୋ-ଭିଡିଓ ଭଳି ସମସ୍ୟାର ମୁକାବିଲା କରିବା ପାଇଁ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏଆଇ ଟେକ୍ନୋଲୋଜିକୁ ଉପଯୋଗ କରି ଏସବୁ ନକଲି ଭିଡିଓ ସବୁ ପ୍ରସ୍ତୁତ କରାଯାଉଛି। ତେବେ କିପରି ଆମେ ଏହି ଏଆଇ ଟେକ୍ନୋଲୋଜି ମାଧ୍ୟମରେ ସୃଷ୍ଟି କରାଯାଇଥିବା ନକଲି ବିଷୟବସ୍ତୁଠାରୁ ନିଜକୁ ରକ୍ଷା କରିପାରିବା, ସେନେଇ ଚିନ୍ତାର ବିଷୟ ପାଲଟିଛି। ଡିପ୍ଫେକ୍’ ଟେକ୍ନୋଲୋଜି ମାଧ୍ୟମରେ ନକଲି ଫଟୋ, ଭିଡିଓ କିମ୍ବା ଅଡିଓ ଜଣେ ବ୍ୟକ୍ତିର ଚେହେରା, ସ୍ୱର ଇତ୍ୟାଦି ବ୍ୟବହାର କରି ସୃଷ୍ଟି କରାଯାଇଥାଏ। ଏହି ଟେକ୍ନୋଲୋଜି ପ୍ରାୟତଃ ନକଲି ଭିଡିଓ ପାଇଁ ବ୍ୟବହୃତ ହୁଏ।
‘ଡିପ୍ଫେକ୍’ ଭିଡିଓ ଘଟଣା ବଢ଼ିବାରେ ଲାଗିଥିବା ଯୋଗୁ ସରକାର ମଧ୍ୟ ଏହାକୁ ନେଇ ବେଶ ଚିନ୍ତିତ। ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମ, ୨୦୦୦ ଅନୁଯାୟୀ ଏଭଳି ମାମଲାକୁ ରୋକିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହାବାଦ୍ ‘ଡିପ୍ଫେକ୍’ ଭିଡିଓ ଚିହ୍ନଟ କରିବା ଏକ କଷ୍ଟକର କାର୍ଯ୍ୟ । ଏହାର ଶିକାର ହେବାକୁ ଏଡ଼ାଇବା ପାଇଁ, ସୋସିଆଲ ମିଡିଆରେ ଆପଣଙ୍କର ଫଟୋ କିମ୍ବା ଭିଡିଓ ସେୟାର କରିବାବେଳେ ଟିକିଏ ସାବଧାନ ରୁହନ୍ତୁ। ଯଦି ଆପଣଙ୍କ ସହ ‘ଡିପ୍ଫେକ୍’ ଭଳି କିଛି ଘଟଣା ଘଟେ, ତେବେଜଣେ ତୁରନ୍ତ ପୋଲିସ କିମ୍ବା ସାଇବର ସେଲରେ ଅଭିଯୋଗ କରିପାରିବେ।
Comments are closed.