Latest Odisha News

BREAKING NEWS

ବିପଜ୍ଜନକ ସ୍ତରରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ଲାଗୁ ହେଲା ଜିଆରଏପି- ୨

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅତି ଖରାପ ଶ୍ରେଣୀରେ ପହଞ୍ଚିଛି । ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୮ ଏକ୍ୟୁଆଇ (AQI) ରହିଛି । ଯାହା ‘ଅତି ଖରାପ’ ଶ୍ରେଣିରେ ରହିଛି । କୁହାଯାଉଛି ଯେ, ଅକ୍ଟୋବର ୨୩ ଏବଂ ୨୪ରେ, ଏହା ଖରାପରୁ ‘ଅତି ଖରାପ’ ଶ୍ରେଣୀରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ଅର୍ଥ ହେଉଛି ରାଜଧାନୀର ବାୟୁ ପ୍ରଦୂଷଣ ସ୍ତର ବର୍ତ୍ତମାନ ୩୦୧ ରୁ ୪୦୦ ଏକ୍ୟୁଆଇ (AQI)ରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଜିଆରଏପି(GRAP)ର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଶୀତ ଋତୁରେ ବଢୁଥିବା ବାୟୁ ପ୍ରଦୂଷଣ ସ୍ତରର ମୁକାବିଲା ପାଇଁ ଏହାକୁ ଦିଲ୍ଲୀ-ଏନସିଆରରେ ଲାଗୁ କରାଯାଇଛି ।

ପ୍ରଦୂଷଣ ବୃଦ୍ଧି ହେବାର ଆଶଙ୍କା ମଧ୍ୟରେ କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ଆୟୋଗ ଶନିବାର ରାଜଧାନୀ ଦିଲ୍ଲୀର ଘରୋଇ ପରିବହନକୁ ନିରୁତ୍ସାହିତ କରିବାକୁ ପାର୍କିଂ ଶୁଳ୍କ ବୃଦ୍ଧି କରିବା ଏବଂ ସିଏନଜି (CNG) ଇଲେକ୍ଟ୍ରିକ୍ ବସ ଓ ମେଟ୍ରୋ ସେବାକୁ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସ୍ଥିତିକୁ ସମୀକ୍ଷା କରିବା ପାଇଁ ଏକ ବୈଠକରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (AQM) କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟ୍ରୋଲୋଜିର ପୂର୍ବାନୁମାନ କରିଛି ଯେ, ପ୍ରତିକୂଳ ପାଗ ଏବଂ ଜଳବାୟୁର ଖରାପ ପରିସ୍ଥିତି କାରଣରୁ ଅକ୍ଟୋବର ୨୩ ଏବଂ ୨୪ରେ ଦିଲ୍ଲୀର ବାୟୂ ପ୍ରଦୂଷଣ ‘ଅତି ଖରାପ’ ଶ୍ରେଣୀରେ ରହିବ ବୋଲି ଆଶଙ୍କା ରହିଛି ।

ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ତୁରନ୍ତ ପ୍ରଭାବ ସହିତ ଲାଗୁ:-

ଏନସିଆରରେ ଜିଆରଏପି (GRAP)ର ପ୍ରଥମ ପର୍ଯ୍ୟାୟ ଅଧୀନରେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି । ଆୟୋଗ ଏକ ଆଦେଶରେ କହିଛି ଯେ, ଜିଆରଏପି ର ପ୍ରଥମ ପର୍ଯ୍ୟାୟରେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ଏନସିଆରର ସମସ୍ତ ସଂପୃକ୍ତ ଏଜେନ୍ସି ଜିଆରଏପି ର ଦ୍ୱିତୀୟ ପର୍ଯ୍ୟାୟରେ ଧାର୍ଯ୍ୟ କରାଯାଇଥିବା ପଦକ୍ଷେପଗୁଡ଼ିକୁ ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ କରିବା ଉଚିତ ।

ଜାଣନ୍ତୁ କେଉଁ କାର୍ଯ୍ୟକଳାପ ଉପରେ ଲାଗିଛି ରୋକ?

ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ୩୦୦ କିଲୋମିଟର ମଧ୍ୟରେ ପ୍ରଦୂଷିତ ଶିଳ୍ପ ୟୁନିଟ୍ ଏବଂ ତାପଜ ବିଦ୍ୟୁତ ଉତ୍ପାଦନ ବିରୁଦ୍ଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ବ୍ୟତୀତ ହୋଟେଲ ଏବଂ ରେସ୍ତୋରାଁର ଏବଂ ଖୋଲା ଭୋଜନାଳୟରେ ତନ୍ଦୁରୀ ଚୁଲା ଓ କୋଇଲା ଜାଳେଣି ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି ।

ଏହାସହ କୌଣସି ନିର୍ମାଣ ଏବଂ ଭାଙ୍ଗିବା ସ୍ଥାନରୁ ବାହାରୁଥିବା ଧୂଳିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀଗୁଡିକର ସଠିକ କାର୍ଯ୍ୟକାରିତା ନିଶ୍ଚିତ କରିବା ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଆସିଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକ ହେଉଛି ପାର୍କିଂ ଚାର୍ଜ ବୃଦ୍ଧି ଏବଂ ବ୍ୟକ୍ତିଗତ ଯାନ ବ୍ୟବହାରକୁ ହ୍ରାସ କରିବା ଲକ୍ଷ୍ୟରେ ସିଏନଜି (CNG) ବା ଇଲେକ୍ଟ୍ରିକ ବସ ଏବଂ ମେଟ୍ରୋ ସେବାକୁ ପ୍ରୋତ୍ସାହିତ କରିବା ।

କେବେ ଲାଗୁ ହୋଇଥାଏ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ?

ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଉପରେ ଆଧାର କରି ଜିଆରଏପିକୁ ଚାରୋଟି ପର୍ଯ୍ୟାୟରେ ଶ୍ରେଣୀ ଭୁକ୍ତ କରାଯାଇଛି । ଯେତେବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ ଏକ୍ୟୁଆଇ (AQI) ୨୦୧-୩୦୦ ‘ଖରାପ’ ରହେ ସେତବେଳେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହୁଏ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଲାଗୁହୁଏ ଯେତେବେଳେ AQI ୩୦୧-୪୦୦ ଭିତରେ ‘ଅତି ଖରାପ’ ଶ୍ରେଣାରେ ରହେ । ଯେଉଁସମୟରେ ଏକ୍ୟୁଆଇ(AQI) ୪୦୧-୪୫୦ ‘ଖରାପ ରୁ ଅତି ଖରାପ’ ଏବଂ ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକାରୀ ହୁଏ ସେତେବେଳେ ଯେବେ, ଏକ୍ୟୁଆଇ (AQI) ୪୫୦ ସର୍ବାଧିକ ଖରାପ ଶ୍ରେଣୀରେ ରୁହେ ।

Comments are closed.