Latest Odisha News

BREAKING NEWS

Delhi exit polls: ପୂର୍ବ ତିନୋଟି ନିର୍ବାଚନରେ କେତେ ହୋଇଥିଲା ସଠିକ ?

ନୂଆଦିଲ୍ଲୀ: ସରିଛି ଦିଲ୍ଲୀ ନିର୍ବାଚନ, ଯାହାର ଫଳାଫଳ ଉପରେ ଏବେ ପୂରା ଦେଶର ନଜର ରହିଛି। ହେଲେ ଫଳାଫଳ ଆସିବା ପୂର୍ବରୁ ଆସିଛି ଭୋଟ ବାହୁଡ଼ା ମତ ବା ଏକଜିଟ ପୋଲ। ପ୍ରାୟ ସବୁ ଏକଜିଟ ପୋଲ୍ ବିଜେପି ସ୍ପଷ୍ଟ ବହୁମତ ପାଇବ ବୋଲି ଆକଳନ କରିଛନ୍ତି। ଅର୍ଥାତ ଦୀର୍ଘ 27 ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିବାକୁ ଯାଉଛି ବୋଲି ବିଭିନ୍ନ ସର୍ଭେ ସଂସ୍ଥା ଆକଳନ କରିଛନ୍ତି। ଏବେ ଏହି ଏକଜିଟ ପୋଲର ଆକଳନକୁ ନେଇ ଚର୍ଚ୍ଚା ଜୋର ହେଉଛି। ବିଜେପି କହୁଛି ଏକଜିଟ ପୋଲର ଆକଳନଠାରୁ ଦଳକୁ ଆହୁରି ଭଲ ଆସନ ମିଳିବ ସେହିପରି ଆମ୍ ଆଦମୀ ପାର୍ଟି ପୁଣି ଥରେ ସରକାକୁ ଫେରିବା ନେଇ ଦମ୍ଭ ଦେଖାଇଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ସବୁ ଏକଜିଟ୍ ପୋଲର ଆକଳନକୁ ଗ୍ରହଣ କରୁନାହିଁ। ଏପରି ସ୍ଥିତିରେ ଆମେ ପୂର୍ବ ତିନୋଟି ଦିଲ୍ଲୀ ବିଧାନସଭା ନିର୍ବାଚନର ଏକଜିଟ ପୋଲ ଆକଳ କେମିତି ରହିଥିଲା ତା ଉପରେ ନଜର ପକାଇବା।

2013 ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍। ଆଉ ସେତେବେଳେ ଘୋର୍ ଆଣ୍ଟି ଇନକମ୍ୱେନ୍ସି ଦେଇ ଗତି କରୁଥିବା କଂଗ୍ରେସର ସ୍ଥିତି ବି ଏତେଟା ଭଲ ନଥିଲା। ସେହିପରି ବିଜେପି ସେ ନିର୍ବାଚନରେ ଫୁଲ୍ ଦମ୍ ଲଗାଇଥିଲା। ହେଲେ ଏହି ନିର୍ବାଚନରେ ସବୁ ସଂସ୍ଥାର ଏକଜିଟ ପୋଲ୍ ହ୍ୟାଙ୍ଗ ଆସେମ୍ୱଲି ବା ଝୁଲା ବିଧାନସଭା ଆକଳନକରିଥିଲା। ସେହିପରି 2015ରେ ସବୁ ସଂସ୍ଥାର ଏକଜିଟ ପୋଲ କଡ଼ାକଡ଼ି ଟକ୍କର ହେବା ନେଇ ଆକଳନ କରିଥିଲେ। ସେପରି 2020ରେ ସବୁ ସଂସ୍ଥାର ଏକଜିଟ ପୋଲ ଆପକୁ ବହୁମତ ପାଇବା ନେଇ ଆକଳନ କରିଥିଲେ ବି ସଂଖ୍ୟା ଏପଟସେପଟ କରିଥିଲେ। ଏବେ ଆସନ୍ତୁ  ଜାଣିବା ଫଳାଫଳ କ’ଣ ରହିଥିଲା।

2013 ବିଧାନସଭା ନିର୍ବାଚନ

2013 ବିଧାନସଭା ନିର୍ବାଚନରେ ପ୍ରାୟ  ସବୁ ଏକଜିଟ ପୋଲ ବିଜେପି 35 ଆସନ ପାଉଛି ବୋଲି ଆକଳନ କରିଥିଲେ। ସେହିପରି ଆପ 36 ଆସନ ପାଇ ସରକାରୁ ଆସିବ ବୋଲି ଆକଳନ କରାଯାଇଥିବା ବେଳେ କଂଗ୍ରେସ 17 ଆସନ ପାଉଛି ବୋଲି ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ସେତେବେଳେ ଆକଳ କରିଥିଲେ। ହେଲେ ବାସ୍ତବ ଫଳାଫଳରେ ବିଜେପିକୁ 32 ଆସନ ମିଳିଥିବା ବେଳେ ଆପ 28 ଆସନରେ ବିଜୟ ହୋଇଥିଲା। ଅନ୍ୟପଟେ କଂଗ୍ରେସକୁ ମାତ୍ର 8ଟି ଆସନ ମିଳିଥିଲା।

 

2015 ବିଧାନସଭା ନିର୍ବାଚନ

2015 ବିଧାନସଭା ନିର୍ବାଚନରେ ପ୍ରାୟ ସବୁ ସଂସ୍ଥାର ଏକଜିଟ ପୋଲ ଆପକୁ 45 ଆସନ ମିଳିବ ବୋଲି ଆକଳନ କରିଥିଲେ। ସେହିପରି ବେଜେପିକୁ 24 ଏବଂ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିବ ବୋଲି ଆକଳନ କରିଥିଲେ ବିଭିନ୍ନ ସଂସ୍ଥା। ହେଲେ ସବୁ ସଂସ୍ଥାର ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଥିଲା। ସେହି ନିର୍ବାଚନରେ ଆପକୁ ମିଳିଥିଲା 67 ଆସନ। ଯାହା ଆକଳନ ଠାରୁ ଢେର ଅଧିକ ଥିଲା। ସେହିପରି ବିଜେପି ମାତ୍ର ତିନୋଟି ଆସନରେ ବିଜୟ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନଥିଲା।

 

 

2020 ବିଧାନସଭା ନିର୍ବାଚନ

2020 ବିଧାନସଭା ନିର୍ବାଚନରେ ପ୍ରାୟ ସବୁ ଏକଜିଟ ପୋଲ ସଂସ୍ଥା 54 ଆସନରେ ଆପ୍ ବିଜୟ ହେବା ନେଇ ଆକଳନ କରିଥିଲେ। ସେହପରି ବିଜେପି 15 ଆସନ ଏବଂ କଂଗ୍ରେସ ଗୋଟିଏ ଆସନ ପାଇବ ବୋଲି ଆକଳନ କରାଯାଇଥିଲା। ହେଲେ ବାସ୍ତବ ଫଳାଫଳରେ କିନ୍ତୁ ସଂଖ୍ୟା ଢେର ଏପଟସେପଟ ରହିଥିଲା। ଆପ 62 ଆସନରେ ବିଜୟ ହୋଇଥିବା ବେଳେ ବିଜେପି ମାତ୍ର 8 ଆସନ ପାଇଥିଲା ଏବଂ କଂଗ୍ରେସ ଖାତା ଖୋଲି ପାରିନଥିଲା।

 

ଏଥିଲା ପୂର୍ବ ତିନୋଟି ନିର୍ବାଚନର ଏକଜିଟ ପୋଲ୍ ଫଳାଫଳ। ଏଥିରୁ ଏକପ୍ରକାର ସ୍ପଷ୍ଟ ହେଉଛି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକଜିଟ୍ ପୋଲ ଏତେଟା ସଠିକ ସାବ୍ୟସ୍ତ ହୋଇନାହିଁ। ଏଥର 2025 ବିଧାନସଭା ନିର୍ବାଚନର ମଧ୍ୟ ଏକଜିଟ ଫଳାଫଳ ଆସିଛି। ୭୦ ବିଧାନସଭା ଆସନରେ ୬୯୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇସାରିଛି। ଆଉ କିଏ ହେବେ ରିଅଲ ୱିନର ତାହା ଆସନ୍ତା ୮ ତାରିଖରେ ଭୋଟ ଗଣତି ପରେ ଜଣାପଡିବ ।

Comments are closed.