ନୂଆଦିଲ୍ଲୀ: ଦିଲ୍ଲୀ ସହରରେ ପ୍ରଦୂଷଣ ସ୍ତର ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ପ୍ରଦୂଷଣ ଉପରେ ନଜର ରଖିବା ଏବଂ ବିଭିନ୍ନ ରାଜ୍ୟକୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ) କୁ ଦାୟିତ୍ୱ ଦିଆଯାଇଛି।
ତେବେ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଥିଲା ପଞ୍ଜାବ ଏବଂ ହରିୟାଣାରେ ଜଳା ଯାଉଥିବା ନଡ଼ା। କିନ୍ତୁ ଚଳିତ ବର୍ଷ ନଡା ଜଳିବା ଉପରେ କଟକଣା ଲଗାଯାଇଥିବା ସତ୍ତ୍ୱେ ଦିଲ୍ଲୀର ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଯାହା ଏକ ଚିନ୍ତାର ବିଷୟ ପାଲଟିଛି।
ନଭେମ୍ବରରେ ଦେଖାଯାଇଥିବା ଅସାମାନ୍ଯ ପାଣିପାଗ ପରିବର୍ତ୍ତନ ଯୋଗୁଁ ମଧ୍ଯ ବାୟୁ ପ୍ରଦୂଷଣ ବଢୁଛି ବୋଲି ସିଏକ୍ୟୁଏମ ତରଫରୁ ଦର୍ଶାଯାଇଛି।
ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଆୟୋଗର ବୈଷୟିକ ସଦସ୍ୟ ଏସଡି ଅତ୍ରି କହିଛନ୍ତି ଯେ ଗତ ବର୍ଷ ନଭେମ୍ବରରେ ଥିବା ଘନ କୁହୁଡ଼ି ବାୟୁମଣ୍ଡଳକୁ ବହୁ ପରିମାଣରେ ବଦଳାଇଛି। ତେବେ ଘନ କୁହୁଡ଼ି ଯାହାକି ପୂର୍ବରୁ ଏହି ସମୟରେ ଅସ୍ୱାଭାବିକ ଥିଲା ବର୍ତ୍ତମାନ ତାହା ବାୟୁ ଗୁଣବତ୍ତା ଉପରେ ଗୁରୁତର ପ୍ରଭାବ ପକାଇ ଦିଲ୍ଲୀ ଏବଂ ଏନସିଆରରେ ପ୍ରଦୂଷଣ ବଢାଇବାରେ ଲାଗିଛି।
ଗତ ଦୁଇ ସପ୍ତାହ ମଧ୍ୟରେ ଏହା ଏକ ଚିନ୍ତାର ବିଷୟ ପାଲଟିଛି। ସେ ଆହୁରି ମଧ୍ଯ କହିଛନ୍ତି ଯେ ଗତ ୨୦ ବର୍ଷ ଧରି ନଭେମ୍ବରରେ ହାରାହାରି ଘନ କୁହୁଡି ରେକର୍ଡ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ କ୍ରମାଗତ ଭାବେ ପ୍ରବଳ କୁହୁଡି ଓ ଧୂଆଁ ପରିସ୍ଥିତିକୁ ଜଟିଳ କରି ପ୍ରଦୂଷଣ ସ୍ତର ବୃଦ୍ଧି କରୁଛି ଯାହାକି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ସମସ୍ୟା ଅଟେ।