ନୂଆଦିଲ୍ଲୀ: ହଜାର ହଜାର ଅଜଣା ଶବଙ୍କ ସାହାରା ପାଲଟିଛନ୍ତି ଦିଲ୍ଲୀର ଝିଅ ପୂଜା ଶର୍ମା । ବୟସ ମାତ୍ର ୨୭ ବର୍ଷ । କିନ୍ତୁ ଏହି ଅଳ୍ପ ବୟସରେ ସେ ପାଲଟିଯାଇଛନ୍ତି କୋଟି କୋଟି ମହିଳାଙ୍କ ପାଇଁ ପ୍ରେରଣା । ଇତି ମଧ୍ୟରେ ସେ ପ୍ରାୟ ୫ ହଜାରରୁ ଅଧିକ ଶବ ଦାହ କରିସାରିଲେଣି । ଯେଉଁ ଶବର କେହି ନାହିଁ ତାକୁ କାନ୍ଧ ଦେଉଛନ୍ତି ପୂଜା । ଡାକ୍ତରଖାନା, ପୋଲିସ ଓ ସ୍ବେଛାସେବୀଙ୍କ ସହିତ ତାଳମେଳ ରଖି ଅଜଣା ଶବର ଶେଷ କ୍ରିୟାକର୍ମ ପାଇଁ କରିଛନ୍ତି ନିଜକୁ ଉତ୍ସର୍ଗ ।
ସାଧାରଣତଃ ହିନ୍ଦୁ ରୀତିନୀତି ଅନୁଯାୟୀ ମହିଳାଙ୍କୁ ଶ୍ମଶାନ ପ୍ରବେଶ ମନା । କିନ୍ତୁ ପୂଜାଙ୍କ ମା ଓ ବଡ଼ ଭାଇଙ୍କ ମୃତ୍ୟୁ ପରେ ପୂଜାଙ୍କ ବାପା କୋମାକୁ ଚାଲିଯାଇଥିଲେ । ଆଉ ସେ ସମୟରେ ପୂଜା ସାଜିଥିଲେ ନିଜ ପରିବାର ପାଇଁ ଏକ ମାତ୍ର ସାହାରା । ନିଜ ମା ଓ ଭାଇଙ୍କ ଶବ ଉଠାଇବା ପାଇଁ କେହି ଆସିନଥିବା ବେଳେ ଏ କାମ ପୂଜାଙ୍କୁ କରିବାକୁ ପଡିଥିଲା । ସେଦିନ ସେ ବୁଝିଥିଲେ ଶବ ପାଇଁ ଶେଷ କୃତ୍ୟର କେତେ ରହିଛି ଗୁରୁତ୍ୱ । ସମୟ ଯାହା ବି ହେଉ ନା କାହିଁକି, ଖରା, ବର୍ଷା, ଶୀତ ଯେକୌଣସି ପରିସ୍ଥିତିରେ ବି କେଉଁଠି ଶବଟିଏ ପଡିଥିବା ଶୁଣିଲେ ସଙ୍ଗେ ସଙ୍ଗେ ଶ୍ମଶାନରେ ଉପସ୍ଥିତ ହୁଅନ୍ତି ପୂଜା । ସନାତନି ହିନ୍ଦୁର ଶବ ହୋଇଥିଲେ ଜୁଇ ଯୋଗାଡ଼ କରନ୍ତି ।
ସେହିପରି ମୁସଲମାନ ହୋଇଥିଲେ କବର ଦେବା ସହିତ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ଶବକୁ ତାଙ୍କ ଧର୍ମ ଅନୁସାରେ କରିଥାନ୍ତି ଶେଷ କୃତ୍ୟ । ତେବେ ଅଜଣା ଶବ ଶେଷ ସମୟରେ ସମ୍ମାନ ପାଉ ଏହା ହେଉଛି ପୂଜାଙ୍କ ଲକ୍ଷ । ବିଗତ ଦୁଇବର୍ଷ ଭିତରେ ପୂଜା କେବଳ ଦିଲ୍ଲୀ ସହରରେ ୫ ହଜାର ଅଜଣା ଶବଙ୍କୁ ଶେଷକୃତ୍ୟ କରିଛନ୍ତି । କେବଳ ଏତିକି ନୁହେଁ ଶବର ଅନ୍ତିମ ସଂସ୍କାର କରିବା ପରେ ସେ ରୀତିନୀତି ମଧ୍ୟ ବିଧି ଅନୁଯାୟୀ ପାଳନ କରନ୍ତି । ଶବ ପୋଡିଠୁ ଆରମ୍ଭ କରି କ୍ରିୟାକର୍ମରେ ଯାହା ଖର୍ଚ୍ଚ ହୁଏ, ସେ ସମସ୍ତ ଖର୍ଚ୍ଚ ସେ ନିଜ ହାତରୁ ଖର୍ଚ୍ଚ କରିଥାନ୍ତି । ତାଙ୍କର ଏହି ସାହସିକତା କାର୍ଯ୍ୟ ପାଇଁ ସବୁଆଡୁ ତାଙ୍କୁ ପ୍ରଶଂସା ମିଳିଛି ।