Latest Odisha News

ଡରାଇ ଚାଲିଛି ଡେଙ୍ଗୁ ମଶା, ଭୁବନେଶ୍ବରର ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଅନେକ ସ୍ଥାନରେ ହସ୍ପିଟାଲ ବେଡ  ତଳେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଏବେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ରୋଗୀଙ୍କ ପାଇଁ ୧୦ଟି ଲେଖାଏଁ ବେଡ୍ ରହିବ।

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ୪ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ନମୁନା ସଂଗ୍ରହ ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଜଟିଳତା ଦେଖାଦେଲେ ରୋଗୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ସେ ଆହୁରି ସୂଚନା ଦେଇଛନ୍ତି ଯେ, ବୃଦ୍ଧି ପାଉଥିବା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ଯକ ପରିମାଣର ରକ୍ତ ମହଜୁଦ ରଖିବାକୁ ରକ୍ତଭଣ୍ଡାରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି,ପ୍ରାୟ ମାସେ ହେବ ଓଡ଼ିଶାରେ ଦୈନିକ ହାରାହାରି ୬୦ରୁ ଅଧିକ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଗତବର୍ଷ ସାରା ଓଡ଼ିଶାରେ ୧୮ ହଜାର ୭ ଶହ ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୩୮ ହଜାର ୫ ଶହ ଟପିଛି।

ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର ନିରୀକ୍ଷଣ ଓ ପରୀକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଇଛି। ଏହାବ୍ୟତୀତ ଏଠାରେ ଥିବା କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗୁରୁବାରଠାରୁ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଆରମ୍ଭ ହେବ। ଜଟିଳତା ହାର ପାଞ୍ଚ ପ୍ରତିଶତରୁ କମ୍ ଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ହଜାର ୪୨୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ହଜାର ୧୬୪ଜଣ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଚଳିତ ଋତୁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ରହିଛି।

Comments are closed.