ଭୁବନେଶ୍ଵର: ପ୍ରବଳ ଜାଡରେ ଥରୁଛି ଓଡିଶା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହିତ ଶୀତ ପ୍ରକୋପ ବଢ଼ିଛି। ବର୍ଷା ପ୍ରଭାବ କମିବା ପରେ ବଢ଼ିଛି ଶୀତର ପ୍ରକୋପ । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ରାତି ତାପମାତ୍ରା କମିବା ଯୋଗୁ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ପାରଦ ୪.୮ଡିଗ୍ରୀକୁ କମିଛି। ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଛି।
ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଶେଷ ପରିବର୍ତ୍ତନ ହେବନି। ଫଳରେ ରାଜ୍ୟରେ ଶୀତ ପ୍ରକୋପ ଲାଗି ରହିବ। ୫ ତାରିଖ ପରଠୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ସକାଳ ପାଇଁ ଅନୁଗୁଳ, କନ୍ଧମାଳ ଓ ଢେଙ୍କାନାଳରେ ଘନ କୁହୁଡି ହେବା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ ଓ ସୁନ୍ଦରଗଡରେ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ବିଶେଷକରି, ୨୦୦ ମିଟରରୁ କମ୍ ରହିପାରେ ଦୃଶ୍ୟମାନ କ୍ଷମତା । କାଲୁଆ ପବନ ସହ ଥଣ୍ତା ଜନ ଜୀବନକୁ ପ୍ରଭାବିତ କରିବ।
ଗତ ୨୪ ଘଣ୍ଟାରେ ୮ଟି ପ୍ରମୁଖ ସହରରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ ୮, କେନ୍ଦୁଝରରେ ୯.୫, ଫୁଲବାଣୀ ଓ ଦାରିଙ୍ଗବାଡିରେ ୯.୫, ସୁନ୍ଦରଗଡରେ ୯.୭, ଅନୁଗୁଳରେ ୧୦, ସୋନପୁରରେ ୧୦, ଭବାନୀପାଟଣା ଓ ବଲାଙ୍ଗୀରରେ ୧୧ ଡିଗ୍ରୀ, ବାରିପଦା, ଢେଙ୍କାନାଳ ଓ ଭଦ୍ରକରେ ୧୨ ଡିଗ୍ରୀ , ନବରଙ୍ଗପୁରରେ ୧୨.୫, ତାଳଚେରରେ ୧୨.୪, ହୀରାକୁଦରେ ୧୨.୬, ସମ୍ବଲପୁରରେ ୧୨.୪, ବାଲେଶ୍ବରରେ ୧୨.୪, କୋରାପୁଟରେ ୧୨.୮, ଟିଟିଲାଗଡରେ ୧୩, ରାୟଗଡାରେ ୧୩, କଟକରେ ୧୩, ଭୁବନେଶ୍ବରରେ ୧୩.୨, ନୂଆପଡାରେ ୧୩.୪, ଚାନ୍ଦବାଲିରେ ୧୩.୮, ଖୋର୍ଦ୍ଧାରେ ୧୪ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି।