Latest Odisha News

୨୫ ଯାଏଁ ବର୍ଷିବ, ମାଲକାନଗିରିକୁ ଆଲର୍ଟ ଜାରି

ଭୁବନେଶ୍ବର: ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ତେବେ ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ହେବ ବୋଲି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏଥିସହ କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଓ ଗଜପତିରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଶୁକ୍ରବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ଅବପାତରେ ପରିଣତ ହୋଇଛି । ତେବେ ଏହି ଲଘୁଚାପ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୦ କି.ମି ଏବଂ ଗୋପାଳପୁର ପାରାଦ୍ବୀପଠାରୁ ୯୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଓଡିଶା ଉପକୂଳରୁ ଚିଲିକା ଉପରେ ଥିବା ଅବପାତ ଧିରେ ଧିରେ ଦୁର୍ବଳ ହୋଇ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ପରବର୍ତ୍ତୀ କିଛି ଘଣ୍ଟାରେ ଏହା ଦୁର୍ବଳ ହୋଇ ଲୋ ପ୍ରେସରରେ ପରିଣତ ହୋଇ ଓଡ଼ିଶା-ଛତିଶଗଡ ମଧ୍ୟରେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ରେଡ ଓ୍ବାର୍ଣ୍ଣିଂ ଜାରି କରିଯାଇଥିବା କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି । ଅନ୍ୟପକ୍ଷରେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜଓ୍ବାର୍ନିଂ ଜାରି କରାଯାଇଛି।

ଏଥିସହିତ ବରଗଡ଼, ସୋନପୁର, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଏହି ଜିଲ୍ଲାଗୁଡିକରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.