Latest Odisha News

ଗାଁକୁ ନାହିଁ ଭଲ ରାସ୍ତା, ଅସରାଏ ବର୍ଷାରେ୨ଗୁଣ ବଢ଼ୁଛି ଦୁଃଖ

ନୂଆପଡ଼ା : ସରୁନି ରାସ୍ତା ଦୁର୍ଦ୍ଦଶା । ବର୍ଷ ବର୍ଷ ଧରି ଲାଗି ରହିଛି ରାସ୍ତା ସମସ୍ୟା। ଗାଁ କୁ ଯିବାକୁ ନାହିଁ ଭଲ ରାସ୍ତା , ଚୁପ ବସିଛି ପ୍ରଶାସନ । ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ପଞ୍ଚାୟତର ଉପାନ୍ତ ଗାଁ  ଡୁମେରଜୋରର ବାଗପଡା ।

ଏହି ଗାଁ କୁ ଯିବାକୁ ଭଲ ରାସ୍ତା ନାହିଁ । ରାସ୍ତାଟି ଖାଲ ଖମାରେ ଭର୍ତି ହୋଇଥିବା ବେଳେ ବର୍ଷା ହେଲେ ସମସ୍ୟା ଦୁଇ ଗୁଣ ହୋଇଯାଏ ।ଏହି ରାସ୍ତା ଦେଇ ବାଗପଡାର ସ୍କୁଲ ପିଲାଠୁ ସମସ୍ତେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରିକି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାପାଇଁ ବୃଦ୍ଧବୃଦ୍ଧା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ରୋଗୀ କିମ୍ବା ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଭାରରେ ବୋହିବା ହିଁ ଏକ ଭରସା ।

କେନ୍ଦୁପାଟିର ଡୁମେରଜୋର ଠାରୁ ବାଗପଡା ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଚୁପ ଥିବା ବେଳେ ରାସ୍ତାର କିଛି କିଛି ସ୍ଥାନରେ ମାଟି ପକାଇ ରାସ୍ତାକୁ ସମତୁଲ କରିଛନ୍ତି ଗାଁ ଲୋକେ । ଏଥିସହ ସ୍ଥାନୀୟ ସରପଞ୍ଚ ନିର୍ବାଚନ ପରଠୁ ଗାଁକୁ ଯାଉନଥିବା ବେଳେ ରାସ୍ତା ବାବଦରେ ଆଭିଯୋଗ କଲେ ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ ଏହି ରାସ୍ତାରେ ମନରେଗା ଯୋଜନାରେ କିଛି କାମ ହୋଇଥିଲେ ମଧ୍ୟ ତାହା ବି ପରବର୍ତ୍ତୀ ସମୟରେ ବନ୍ଦ ହୋଇ ଯାଇଥିଲା ବୋଲି କହିଛନ୍ତି ଗାଁ ଲୋକେ । ଖୁବ୍‌ ଶୀଘ୍ର ରାସ୍ତା ନିର୍ମାଣ ହେବା ନେଇ ଖଡ଼ିଆଳ ବିଡିଓ ବିରସେନ ବେହେରା ପ୍ରତିଶୃତି ଦେଇଛନ୍ତି । ସେପଟେ ରାସ୍ତା ନିର୍ମାଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

 

Comments are closed.