Latest Odisha News

BREAKING NEWS

ରାଜସ୍ଥାନରେ ବିଜୟ ସତ୍ବେ ବିଜେପିକୁ ଅଡ଼ୁଆ ବସୁନ୍ଧରା ରାଜେ?

ଜୟପୁର: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି। ନିକଟରେ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ମଙ୍ଗଳବାର ଅରୁଣ ସିଂହ ଏହି ମନ୍ତବ୍ୟ ଦେଇଛନ୍ତି।

ନବନିର୍ବାଚିତ ବିଜେପି ବିଧାୟକ କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତାଙ୍କ ବାସଭବନକୁ ଯାଉଛନ୍ତି। ଯାହା ପରୋକ୍ଷରେ ବସୁନ୍ଧରା କେନ୍ଦ୍ର ନେତାଙ୍କ ନିକଟରେ ନିଜ ଦବଦବା ଜାହିର କରିବାକୁ ଏକ ପ୍ରୟାସ କରାଯାଉଛି ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ବସୁନ୍ଧରା ସବୁଠୁ ଆଗରେ ଥିବା କୁହାଯାଉଥିବା ରାଜେ ସୋମବାରଠାରୁ ପ୍ରାୟ ୫୦ ବିଧାୟକଙ୍କୁ ଭେଟିଥିବା କୁହାଯାଉଛି। ବସୁନ୍ଧରାଙ୍କ ବାସଭବନରେ ଦଳୀୟ ବିଧାୟକଙ୍କ ବୈଠକ କଂଗ୍ରେସ ସରକାର ସମୟରେ ଗେହଲଟ-ପାଇଲଟ କଳିକୁ ମନେ ପକାଇ ଦେଉଛି। ଯାହା କଂଗ୍ରେସ ହାରିବା ପଛର ଅନ୍ୟତମ କାରଣ ବୋଲି କୁହାଯାଉଛି। ତେଣୁ ବସୁନ୍ଧରାଙ୍କୁ ମୁଖ୍ୟମନ୍ତ୍ରୀ କରିବେ କି ନାହିଁ ସେ ନେଇ ବିଜେପିର କେନ୍ଦ୍ର ନେତା ଦ୍ବନ୍ଦ୍ବରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆସନ ପାଇଁ ବିଜେପିର ଚାରି ପ୍ରମୁଖ ନେତା ରେସରେ ଅଛନ୍ତି। ଯେଉଁଥିରେ ଗଜେନ୍ଦ୍ର ସିଂହ ଶେଖାଓ୍ୱତ, ପ୍ରହ୍ଲାଦ ପଟେଲଙ୍କ ଭଳି ନେତା ରହିଛନ୍ତି।

କେତେକ ବିଧାୟକ ଏହି ଗସ୍ତକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହୁଥିବା ବେଳେ ଆଉ କେତେକ ଖୋଲାଖୋଲି ଭାବେ ରାଜେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ ଜଣାଇଛନ୍ତି। ନାସିରାବାଦ ବିଧାୟକ ରାମସ୍ୱରୂପ ଲାମ୍ବା କହିଛନ୍ତି ଯେ ରାଜସ୍ଥାନରେ ବିଜେପିର ବିଜୟ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜେଙ୍କ କାର୍ଯ୍ୟ ଯୋଗୁଁ ହୋଇଛି।

ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ବିଜେପି ସଂସଦୀୟ ବୋର୍ଡ ଉପରେ ନିର୍ଭର କରୁଛି। ଖୁବଶୀଘ୍ର ବିଧାୟକ ଦଳ ବୈଠକ ବସି ଦଳ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

୨୦୦୩ରୁ ୨୦୦୮ ଏବଂ ୨୦୧୩ରୁ ୨୦୧୮ ରାଜେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ତାଙ୍କୁ ତୃତୀୟ ଥର ପାଇଁ ନେତୃତ୍ୱ ନେବା ପାଇଁ ସୁଯୋଗ ଦିଆଯିବ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଛନ୍ତି।

ରାଜସ୍ଥାନରେ ବିଜେପିର ବିଜୟ ଦଳ ପାଇଁ ଏକ ବଡ଼ ବିଜୟ ହୋଇଥିବା ବେଳେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.