ଭୁବନେଶ୍ଵର: ଆଜି ହେଉଛି ପବିତ୍ର ଛଟ ପୂଜାର ଶେଷ ଦିନ । ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ସମାପନ ହେଉଛି। ଶେଷ ଦିନରେ ବ୍ରତଧାରୀ ମାନେ ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଛନ୍ତି । ବିଶେଷ କରି ବିହାରୀ ସମ୍ପ୍ରଦାୟର ଲୋକେ ଏହି ପୂଜାକୁ ଧୁମଧାମରେ ପାଳନ କରୁଛନ୍ତି । କୁଆଖାଇ ଓ ମହାନଦୀ ପଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସକାଳୁ ସକାଳୁ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି ।
ଗତକାଲି ନଦୀ ପଠାରେ ହଜାର ହଜାର ବ୍ରତଧାରୀ ମହିଳା ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ସେମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ମହିଳା ମାନେ ଦୁଇ ଦିନ ପର୍ଯ୍ୟନ୍ତ ନିର୍ଜଳ ଉପବାସ ରଖି ତାଙ୍କ ପରିବାରର ସୁଖ ଶାନ୍ତି ପାଇଁ ସୂର୍ଯ୍ୟ ଦେବଙ୍କୁ ପାର୍ଥନା କରିଥାନ୍ତି । ସୂର୍ଯ୍ୟ ଦେବଙ୍କ ଉପାସନାରେ ଏହି ଛଟ ପର୍ବରେ ଖାସ୍ ମହତ୍ୱ ରହିଛି । ଦୁଇ ଥର ଅର୍ଘ୍ୟ ଦେବା ପରେ ହିଁ ବ୍ରତ ପୂରା ହୋଇଥାଏ । ଛଟ୍ ପର୍ବର ବ୍ରତ ଏବଂ ପୂଜା ଦୁଇଟି ଯାକର ମହତ୍ୱ ରହିଛି ।
ତେବେ ଏହି ଛଟ୍ ପୂଜାରେ ମହିଳାମାନେ ନାକ ପର୍ଯ୍ୟନ୍ତ ସିନ୍ଦୁର ଲଗାଇଥାନ୍ତି । ପ୍ରକୃତରେ ମହିଳାମାନେ ଏହିଭଳି ସିନ୍ଦୁର ଲଗାଇବା ପଛରେ ରହିଛି ଏକ କାରଣ । ହିନ୍ଦୁ ଧର୍ମରେ ବିବାହିତା ମହିଳାଙ୍କ ପାଇଁ ସିନ୍ଦୁରର ବିଶେଷ ମହତ୍ୱ ରହିଛି । ଏହାସହିତ ପୂଜାରେ ମଥାରେ ସିନ୍ଦୁର ଭରିବା ବାଧ୍ୟତାମୂଳକ । ମହିଳାମାନେ ଛଟ୍ ପୂଜା ଅବସରରେ ମଥାରୁ ନାକ ଯାଏଁ ସିନ୍ଦୁର ଭରିଥାନ୍ତି । ସୁହାଗର ପ୍ରତୀକ ହେଉଛି ସିନ୍ଦୁର । ପତିଙ୍କ ସୁସ୍ଥ ଶରୀର ଏବଂ ଦୀର୍ଘାୟୁ କାମନାର ସୂଚକ । ଧାର୍ମିକ ମାନ୍ୟତା ଅନୁସାରେ ଯେତେ ଲମ୍ବା ସିନ୍ଦୁର ଲଗାଯାଏ ପତିଙ୍କର ଆୟୁ ସେତିକି ବଢିଥାଏ । ସେଥିପାଇଁ ଛଟପୂଜା ଅବସରରେ ମହିଳାମାନେ ମଥାରୁ ନାକ ଯାଏଁ ଲମ୍ବାରେ ସିନ୍ଦୁର ଲଗାଇଥାନ୍ତି ।
Comments are closed.