ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ବିଭିନ୍ନ ଦଳର ନେତାମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଲୋକଙ୍କୁ ନିଜ ସପକ୍ଷକୁ ଆଣି ଭୋଟ ଦେବାକୁ କହୁଛନ୍ତି । ଏହାର ଭିତରେ ଅନେକ ଅଭିଯୋଗ ମଧ୍ୟ ହେଉଛି ଟଙ୍କା ବଣ୍ଟାକୁ ନେଇ । ତେବେ ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ କିଏ କେତେ ଭୋଟରଙ୍କୁ ଆକୃଷ୍ଟ କରିପାରୁଛି ତାହା ଦଳର ନେତା କାର୍ଯ୍ୟକର୍ତ୍ତାଙ୍କ ଉପରେ ନିର୍ଭର କରେ ।
ଶେଷଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ମଇଦାନକୁ ଓହ୍ଲାଇବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ । ଧାମନଗର ବ୍ଲକ ଧୁଷୁରୀ ନିକଟସ୍ଥ ବାସନ୍ତୀ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି କେନ୍ଦ୍ରମନ୍ତ୍ରୀଙ୍କର । ଗତ କାଲି ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଣି ଧାମନଗରବାସୀଙ୍କ ପାଇଁ ନିଜେ ଦାୟିତ୍ବ ନେଇଥିବା କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଟାର୍ଗେଟ କରିପାରନ୍ତି କେନ୍ଦ୍ରମନ୍ତ୍ରୀ ।
ଆସନ୍ତା ୩ ତାରିଖରେ ଧାମନଗର ନିର୍ବାଚନ ପୂର୍ବରୁ ଆଜି ହେଉଛି ପ୍ରଚାରର ଶେଷ ଦିନ । ୬ରେ ଗଣତି ପରେ ଜଣାପଡିବ ଧାମନଗରବାସୀ କାହାକୁ ନେତା ବାଛିଛନ୍ତି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ନେତାମାନେ ପ୍ରଚାର କରିପାରିବେ । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡ ପାଇଁ ଏବେ ରାଜନୀତି ସରଗରମ ଅବସ୍ଥାରେ ଅଛି । ଭିଡ ଜମୁଛି, ଭୋଜି ଭାତ ଚାଲିଛି, ପ୍ରଚାର ବି କମ୍ପୁଛି ।
ତେବେ ସବୁଠୁ ବଡ଼ କଥା ହେଲା ତିହିଡ଼ି ବ୍ଲକର ୧୩ଟି ପଞ୍ଚାୟତରେ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ପାଇଁ ବିଜେଡ଼ି ଭୋଟ୍ ବିଭାଜନ ହେବାର ସମ୍ଭାବନା ରହିଛି । ତିହିଡ଼ି ବ୍ଲକ ଅଧୀନ ୧୩ ପଞ୍ଚାୟତର ଭୋଟ୍ ନିର୍ଣ୍ଣାୟକ ହେବ ବୋଲି ଚର୍ଚା ହେଉଛି । ତିହିଡି ବ୍ଳକ୍ର ୭ ନମ୍ବର ଜୋନରେ କାଁପଡା ପଞ୍ଚାୟତର ବାସିନ୍ଦା ହେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ରାଜୁଦାସ ପୂର୍ବରୁ ବିଧାୟକ ଥିବାରୁ ବିଜେଡି ଚିନ୍ତାରେ ରହିଛି । ଏହି ୧୩ ପଞ୍ଚାୟତରେ ବିଜେଡି ୨୭,୮୨୫ ଭୋଟ ପାଇଥିବା ବେଳେ ବିଜେପି ୨୦,୮୧୫ ଭୋଟ ପାଇଥିଲା । ତେଣୁ ଏହି ଭୋଟ ହିଁ ସବୁ କିଛି ବିଗାଡିବ । ତେବେ ବିଜେଡି ନେତାଙ୍କ କହିବା କଥା ଭୋଟ ସବୁ ବିଜେଡିର । ରାଜୁ ଦାସଙ୍କର ନୁହେଁ । ମୁଖ୍ୟମନ୍ତ୍ରୀଙ୍କୁ ଚାହିଁ ଲୋକେ ଭୋଟ ଦେବେ ।
ସେପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡି ପାଇଁ କଣ୍ଟା ସାଜି ପାରନ୍ତି ବୋଲି ବୁଦ୍ଧିଜୀବୀମାନଙ୍କ ମତ । ବାପାଙ୍କ ବିୟୋଗ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ଗାଁ ଗାଁ ବୁଲୁଛନ୍ତି । ଶାସକ ବିଜେଡ଼ିର ରଣକୌଶଳ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉପରେ ଏବେ ସମସ୍ତଙ୍କ ନଜର ରହିଚି । ବିଜେଡ଼ିର ମାଳମାଳ ମନ୍ତ୍ରୀ, ବିଧାୟକ ଗତ ଦୁଇ ସପ୍ତାହ ହେଲା ଘରକୁ ଘର ବୁଲିବା ସହ ସଂଧ୍ୟା ନଇଁଲେ ଭୋଜିଭାତ କରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି । ସକାଳ ହେଲେ ବୈଠକ ଓ ପ୍ରଚାର ଚାଲିଛି । ଯାହାର ଫଳ ପରେ ଜଣାପଡିବ । କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ପ୍ରଚାର ଚଳାଇଥିବା ବେଳେ କଂଗ୍ରେସ ଟକ୍କର ଦେବା ଭଳି ସ୍ଥିତିରେ ନଥିବା ଦେଖାଯାଉଛି ।
୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ୮୦ ହଜାର ୧୧୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୭୫ ହଜାର ୪୫୯ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ୭ ହଜାର ୨୫୮ ଖଣ୍ଡ ଭୋଟରେ ସୀମିତ ରହିଥିଲା । ବିଜେପିର ବିଜୟ ବ୍ୟବଧାନ ଥିଲା ମାତ୍ର ୪୬୫୨ ଖଣ୍ଡ ଭୋଟ୍ । ଯଦି ପ୍ରତି ପଞ୍ଚାୟତରୁ ରାଜୁ ଦାସ କିଛି କିଛି ବିଜେଡି ଭୋଟ ସଂଗ୍ରହ କରନ୍ତି ତେବେ ବିଜେପି ଜିତିଯାଇପାରେ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି । ତେବେ ଅନ୍ୟ ଉପନିର୍ବାଚନ ଭଳି ଏଠାରେ କାହାପାଇଁ ଏବେ ପଥ ପରିଷ୍କାର ନଥିବା ଚର୍ଚା ହେଉଛି ।
Comments are closed.