ନୂଆଦିଲ୍ଲୀ: ବହୁତ କମଥର ଏପରି ଘଟିଥିବ ଯେଉଁସଭାରେ ନେତା କିମ୍ବା ମନ୍ତ୍ରୀ ଯୋଗ ଦେଇଥିବେ ହେଲେ ରାଜନୈତିକ ଟିକା ଟିପ୍ପଣୀ କରିନଥିବେ କିମ୍ବା କାହାକୁ ଇଙ୍ଗିତ କରି ଜବାବ ଦେଇଥିବେ। ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେମିତି ବା ଏହି ଚିରାଚରିତ ଧାରାରୁ ବାଦ ପଡ଼ିବେ ଯେତେବେଳେ ଓଡ଼ିଶାର ପ୍ରମୁଖ ବୁଦ୍ଧିଜୀବୀଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ରହିଛନ୍ତି।
ଅବସର ଥିଲା ନୂଆଦିଲ୍ଲୀ ଠାରେ ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ଦ୍ୱାରା ରଚିତ ପ୍ରବନ୍ଧ ସଂକଳନ “କଳ୍ପନାର ବାସ୍ତବତା”ର ଲୋକାର୍ପଣ ସମାରୋହ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସାଂସଦ ଭର୍ତ୍ତୃହରି ମହତାବ, ପ୍ରଖ୍ୟାତ କଥାଶିଳ୍ପୀ ଡକ୍ଟର ପ୍ରତିଭା ରାୟ, ବରିଷ୍ଠ କବି ଅମରେନ୍ଦ୍ର ଖଟୁଆ।
ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଶାସକ ଦଳକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଓଡିଶାରେ କୌରବ ସେନା ଯେତେ ଚିତ୍କାର କଲେ ବି, ମୁଁ ତାକୁ ମୁଣ୍ଡ ପାତିକି ସହିବାକୁ ପ୍ରସ୍ତୁତ ଅଛି, କୌରଵ ସେନା ଯାଜ୍ଞସେନୀ ପଢିନାହାନ୍ତି। ଯିଏ ଏହି ବହି ପଢ଼ିଛି ସେ ଜାଣିଛନ୍ତି। ତେଣୁ ଯିଏ ନପଢ଼ିଛି ସେ ମହିଳା ସମ୍ବେଦନଶୀଳତା ବୁଝି ପାରିନଥିବେ। ଛ ଥରର ସାଂସଦଙ୍କୁ କେହି ଜଣେ କହିବେ ଆପଣ କାଉନସିଲର ପଦ ଜିତିପାରିବେନି ଏହା କେବେ ଗ୍ରହଣୀୟ ନୁହେଁ। କିଛି ତ ଅଛି ନହେଲେ ଜଣେ ଛଅ ଥରର ଟିକେଟ୍ ପାଇଲେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଭର୍ତ୍ତୃହରି ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି କି ନାହିଁ ଜାଣିନାହିଁ। ହେଲେ ସେ ନିନ୍ଦା ଆଣି ନାହାନ୍ତି। ସୁନାମ ତ ବାହାର ରାଜ୍ୟର ଲୋକ କରୁଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଜେଡିର କଟକ ସାଂସଦ ଭର୍ତ୍ତୃହରିଙ୍କୁ ନେଇ ବିଜେଡି ନେତା ଦେଇଥିବା ବୟାନର ଜବାବରେ ଏପରି କହିଛନ୍ତି।
କଟକ ସାଂସଦ କହିଛନ୍ତି, ସେ ଦିନ ଗାନ୍ଧିଜୀ ଓଡିଶାରୁ ଭୟ ଦୂର କରିବାକୁ ଆହ୍ୱାନ ଦେଇଥିଲେ, ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭୟ ବିଷୟରେ ତାଙ୍କ ବକ୍ତବ୍ୟରେ କହିଛନ୍ତି। କାଳେ ମୋର ଅସୁବିଧା ହେବ ସେଥି ପାଇଁ ମାପିଚୁପି କହିଥିଲେ।
ଉଲ୍ଲେଖଯୋଗ୍ୟ, ନିକଟରେ ବିଜେପି ଯୁବମୋର୍ଟ୍ଟା ରାଜଧାନୀରେ ସରକାର ବିରୋଧରେ ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଆଉ ପୋଲିସ-ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଠେଲାପେଲା ସହିତ ମାରପିଟ ହୋଇଥିବାର ଚିତ୍ର ସାମ୍ନାକୁ ଆସିଥିଲା।
ଏହାପରେ କଟକ ସାଂସଦ ନିଜର ଦୈନିକ ଖବରକାଗଜ ପ୍ରଜାତନ୍ତ୍ରରେ ଏକ ଆଲେଖ୍ୟ ଲେଖିଥିଲେ। ଯେଉଁଥିରେ ସେ ‘ଉଚ୍ଚାରଣ ଓ ଆଚରଣ ମାର୍ଜିତା ହେବ ଆବଶ୍ୟକ’ ଶୀର୍ଷକ ସମ୍ପାଦକୀୟ ଲେଖିଥିଲେ। କମିସନରେଟ୍ ପୁଲିସର ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକାରୀ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସେ ଏହି ଆଲେଖ୍ୟ ଜରିଆରେ ସମାଲୋଚନା କରିଥିଲେ।
ପୋଲିସ ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନକୁ ପରିଚାଳନା କରିବା ଉଚିତ ଥିଲା ବୋଲି ସେ କହିଛନ୍ତି। ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଏହାକୁ ନେଇ ସାଧାରଣରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିଜର ଶୃଙ୍ଖଳିତ ଆଚରଣ ଓ ମୂଲ୍ୟବୋଧ ଯୋଗୁଁ ବିଜେଡି ଦୀର୍ଘ 25 ବର୍ଷ ଧରି ରାଜ୍ୟରେ ଶାସନ କରୁଛି। ତେଣୁ ଦଳ ସେହି ଧାରା ବଜାୟ ରଖି ଭବିଷ୍ୟତ ଉପରେ ଧ୍ୟାନ ଦେବା ଉଚିତ ବୋଲି ସାଂସଦ ଲେଖିଥିଲେ।
ଉଲ୍ଲେଖଯୋଗ୍ୟ, ଭତ୍ତୃହରି ମହତାବ ଏବେ ବିଜେଡିରେ କୋଣଠେସା ହୋଇଥିବା ନେତାଙ୍କ ମଧ୍ୟରୁ ଅନ୍ୟତମ। ବିଜେପି ଏବେ ତାଙ୍କ ସହ ଯୋଗାଯୋଗରେ ରହିଥିବା ସୂଚନା ରହିଛି। ଏମିତିକି ଦଳର ବରିଷ୍ଠ ନେତା ହେଲେ ମଧ୍ୟ ଶୀର୍ଷ ନେତୃତ୍ବ ବୈଠକରେ ତାଙ୍କର ଆଉ କୌଣସି ଭୂମିକା ନାହିଁ କି ମତାମତ ନିଆଯାଉନଥିବା ସୂଚନା ରହିଛି।
Comments are closed.