ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଛି । ସୁରକ୍ଷା ଦୃଷ୍ଟିରୁ ଏହାକୁ ବନ୍ଦ କରିବା ଦରକାର । ଏଥିପାଇଁ ପଦକ୍ଷେପ ନେବା ଲାଗି ଏଏସଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ଯାଜପୁର ଜିଲ୍ଲା ଐତିହାସିକ ଲଳିତଗିରି ନିକଟ ଶୁଖୁଆପଡ଼ା ଗ୍ରାମର ପାରାଭାଡ଼ିରେ ଥିବା ଖଣ୍ଡୋଲାଇଟ ଖଣି ଖନନକୁ ମଧ୍ୟ ତୁରନ୍ତ ବନ୍ଦ କରିବା ପାଇଁ ଆଉ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ଶିଶୁପାଳଗଡରେ ବ୍ୟାପକ ଭାବରେ ଖନନ କାର୍ଯ୍ୟ ଦ୍ୱାରା ଏହାର ଐତିହ୍ୟ ନଷ୍ଟ ହେବାକୁ ବସିଛି । ଶିଶୁପାଳଗଡ଼ ଦୁର୍ଗର ପୁରାତନ କୀର୍ତ୍ତିରାଜି, ମୁଖ୍ୟଦ୍ୱାର, କୂଅ ଓ ପୋଖରୀ ନଷ୍ଟ ହେଉଛି । ଅଞ୍ଚଳର ପ୍ରାକୃତିକ ପରିବେଶ, ଜୈବ ବିବିଧତା ମଧ୍ୟ ନଷ୍ଟ ହେଉଛି । ଏହି ଖନନ କାର୍ଯ୍ୟ ଆନସିଏଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କେଲୋଜିଓକାଲ ସାଇଟ ଆଣ୍ଡ୍ ରିମେନ୍ସ ଆକ୍ଟ ୧୯୫୮ର ଉଲ୍ଲଘଂନ କରୁଛି । ଏହା ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପିରିଧିରେ କୌଣସି ନିର୍ମାଣ ଓ ଖନନ କାର୍ଯ୍ୟକୁ ନିଷେଧ କରୁଛି ।
ଏହି ଖନନ କାର୍ଯ୍ୟ ଓଡ଼ିଶାରେ ଥିବା ଶାସକ ଦଳର ନେତାଙ୍କ ଦ୍ୱାରା ସ୍ଥାନୀୟ ପ୍ରଶାସନ ଓ ପୋଲିସର ପୃଷ୍ଠପୋଷକତାରେ ଜାରି ରହିଛି । ପ୍ରତିବନ୍ଧକ ଥିବା ସତ୍ତ୍ୱେ ଐତିହାସିକ ସ୍ଥଳ ଓ ନିକଟବର୍ତ୍ତୀ ଅଞ୍ଚଳରେ ଜାରି ରହିଥିବା ଖନନ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଣଦେଖା କରୁଛି । ଏହି ବେଆଇନ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ । ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର ଶିଶୁପାଳଗଡ଼ରେ ଏହି ବେଆଇନ କାର୍ଯ୍ୟକୁ ଯଥାଶୀଘ୍ର ବନ୍ଦ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ସହ ଉକ୍ତ ଅଞ୍ଚଳକୁ ଖାଲି କରିବା ପାଇଁ ମଧ୍ୟ ନିବେଦନ କରିବାକୁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଏସଆଇ ଯଥାଶୀଘ୍ର ଏହାର ପୁନରୁଦ୍ଧାର କରିବା ସହ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମସି) ଦ୍ୱାରା ଯାଜପୁର ଜିଲ୍ଲାର ଶୁଖୁଆପଡା ଗ୍ରାମର ପାରାଭାଡ଼ିରେ ଥିବା ଖଣ୍ଡୋଲାଇଟ୍ ଖଣି ଖନନ ସମୟରେ ଏଏସଆଇ ଦ୍ୱାରା ୧୩୦୦ ବର୍ଷ ପୁରୁଣା ବୌଦ୍ଧସ୍ତୂପ ଆବିଷ୍କୃତ ହୋଇଛି । ଏଏସଆଇ ସଂସ୍ଥାର ପୁରୀ ସର୍କଲର ତଥ୍ୟନୁସାରେ ଏହି ସ୍ଥାନରେ ଖନନ କାରଣରୁ ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ୪.୫ ମିଟର ଉଚ୍ଚତା ବିଶିଷ୍ଟ ଏକ ବୌଦ୍ଧସ୍ତୂପ ଉଦ୍ଧାର କାରାଯାଇଥିଲା । କିନ୍ତୁ ଖନନ କାର୍ଯ୍ୟ କାରଣରୁ ଅନ୍ୟ ଏକ ଛୋଟ ସ୍ତୂପ ନଷ୍ଟ ହୋଇଯାଇଥିଲା ।
ଲଳିତଗିରି ନିକଟ ପାରାଭାଡିରେ କୀର୍ତ୍ତିରାଜି ମିଳିବା ପରେ ଏଏସଆଇ ରାଜ୍ୟ ସରକାରଙ୍କୁ ଓଏମସି ଦ୍ୱାରା ଜାରି ରହିଥିବା ଖଣି ଖନନକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ସରକାର ଏହି ସ୍ଥାନରେ ଥିବା ଐତିହ୍ୟର ମୂଲ୍ୟାଙ୍କନ ନ କରି ଖନନ ପାଇଁ ଅନୁମତି ଦେଇଥିଲେ, ଯାହା ଦ୍ୱାରା ଏଠାରେ ଥିବା ଐତିହ୍ୟ ନଷ୍ଟ ହେଉଛି । ଭାରତୀୟ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ପାଇଁ ଏହା ଉପରେ ଚିନ୍ତା କରିବା ତଥା ଉକ୍ତ ଦୁଇଟି ସ୍ଥାନରେ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଶ୍ରୀ ପ୍ରଧାନ ଜି. କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
Comments are closed.