Latest Odisha News

BREAKING NEWS

ଐତିହାସିକ ଧଉଳି ପାହାଡର ପାଦ ଦେଶରେ ଆୟୋଜିତ ହେଉଛି ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ଵର: ଓଡିଶା ସରକାରଙ୍କର ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ । ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି । ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହର ସୁରକ୍ଷା, ପର୍ଯାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ ।

ପ୍ରତି ବର୍ଷ ଫେବ୍ରୁୟାରୀ ମାସରେ ଏହି ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଥାଏ । ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିଥାନ୍ତି ।
୨୦୦୩ ମସିହାଠାରୁ ଧଉଳି ମହୋତ୍ସବ ଓ କଳିଙ୍ଗ ମହୋତ୍ସବର ଆୟୋଜନ ଦୁଇଟି ସ୍ଵତନ୍ତ୍ର ଉତ୍ସବ ଭାବରେ ଆରମ୍ଭ କରାଯାଇଥିଲା । କିନ୍ତୁ ୨୦୧୧ ମସିହା ଠାରୁ ଏହି ଦୁଇଟି ମହୋତ୍ସବ ମିଶି ଧଉଳି-କଳିଙ୍ଗ ମହୋତ୍ସବ ନାମରେ ଆୟୋଜିତ ହୋଇ ଆସୁଅଛି ।

ଧଉଳି- କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରିଥାଏ ।

ଏହି ଉତ୍ସବର ଆଉ ଏକ ପ୍ରମୁଖ ଲକ୍ଷ ହେଲା ଦେଶର ଯୁବକ ସମାଜ ବିଶେଷ କରି ଛାତ୍ର ଓ ଛାତ୍ରୀ ମାନଙ୍କୁ ଭାରତୀୟ ସଂସ୍କୃତିର ମହାନ ଗୌରବୋଜ୍ଜ୍ଵଳ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରା ଯାଉଅଛି।

ବୁଦ୍ଧ ସମ୍ମାନ :

ଏହି ପ୍ରସିଦ୍ଧ ତଥା ପ୍ରତିଷ୍ଠିତ ସମ୍ମାନଟି ମହାତ୍ମା ବୁଦ୍ଧଙ୍କ ନୀତି ଓ ବାଣୀକୁ ଜନ ମାନସରେ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଦୀର୍ଘ ୧୧ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦାନ କରା ଯାଉଅଛି । ପ୍ରତି ବର୍ଷ ଜଣେ ପ୍ରଥିତ ଯଶା ଶିଳ୍ପୀ ଓ କଳାକାରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ । ଏହି ସମ୍ମାନ ଆଂଶିକ ଭାବରେ ରୁଚି ପ୍ରତିଭା ଫାଉଣ୍ଡେସନ, କଟକ ଦ୍ଵାରା ପ୍ରାୟୋଜିତ । ଚଳିତ ବର୍ଷର ସମ୍ମାନ ପାଉଛନ୍ତି ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ମାୟାଧର ରାଉତ, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ।

ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ :

ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡିଶୀ ନୃତ୍ୟ, ସଙ୍ଗୀତ, ନାଟକ, ଯନ୍ତ୍ର ସଙ୍ଗୀତ ଓ ଓଡିଶୀ ନୃତ୍ୟ ସହ ଯୋଡିହୋଇ ରହିଥିବା ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପୀ ତଥା ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାଇତ୍ଵ ନିଭାଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରା ଯାଉଛି ।

ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଯଥାକ୍ରମେ ଗୁରୁ ଘନଶ୍ୟାମ ପଣ୍ଡା, ଓଡିଶୀ ସଙ୍ଗୀତ ଗୁରୁ ଓ ଖ୍ୟାତି ସମ୍ପନ୍ନ ଗାୟକ; ଗୁରୁ ଶ୍ରୀମତୀ ଆଲୋକା କାନୁନଗୋ, ପ୍ରଥିତଯଶା ଓଡିଶୀ ନୃତ୍ୟାଙ୍ଗନା; ଡ଼॰ ଦେବୀ ମିଶ୍ର, ଡ଼॰ ନିରଞ୍ଜନ ତ୍ରିପାଠୀ ଓ ଡ॰ ସ୍ଵାତି ତ୍ରିପାଠୀ, ଆମେରିକାସ୍ଥିତ ପ୍ରବାସୀ ଓଡିଆ ଓ ଓଡିଶୀ ନୃତ୍ୟର ଅନ୍ୟତମ ପୃଷ୍ଠପୋଷକ ଏବଂ ଶ୍ରୀଯୁକ୍ତ ଜୟଦେବ ଦାସ, ଜଣାଶୁଣା ମଞ୍ଚ ଆଲୋକ ସମ୍ପାଦନାକାରୀ ।

Comments are closed.