Latest Odisha News

BREAKING NEWS

ଢେଙ୍କାନାଳ ବିଜେଡି ସାଂସଦ ଓ ଜିଲ୍ଲାପାଳ ମୁହାଁମୁହିଁ, ‘ରବର ଷ୍ଟାମ୍ପ’ କି ବୋଲି ପ୍ରଶ୍ନ କଲେ ଆଇଏଏସ

ଢେଙ୍କାନାଳ: ଜିଲ୍ଲାପାଳ ଓ ସାଂସଦ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଫଣ୍ଡକୁ ନେଇ ମୁହାଁମୁହିଁ। ଏଥର କିନ୍ତୁ ବିରୋଧୀ ଦଳର ସାଂସଦଙ୍କ ସହ ଜିଲ୍ଲାପାଳ ମୁହାଁମୁହିଁ ହୋଇନାହାନ୍ତି ବରଂ ଖୋଦ୍ ଖାସକ ଦଳର ସାଂସଦଙ୍କ ସହ ହୋଇଛନ୍ତି। ବୁଧବାର ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଖଣିଜ ପାଣ୍ଠି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ସାଂସଦ ମହେଶ ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ସୂଚନା ମିଳିଛି।

ଦୀର୍ଘ ତିନି ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମହେଶ ସାହୁ ଏହି ପାଣ୍ଠିର ବ୍ୟୟବରାଦ ଓ ଏହି ପାଣ୍ଠିରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୫-ଟି ପଦକ୍ଷେପ ସମେତ ସରକାରୀ ଅଧିକାରୀ ନିୟମକୁ ଉଲଘଂନ କରୁଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଯେଉଁମାନେ ଡିଏମଏଫ କମିଟିର ସଦସ୍ୟ ନୁହନ୍ତି ସେମାନଙ୍କୁ ବୈଠକକୁ କାହିଁକି ଡକାଯାଇଛି ବୋଲି ପ୍ରଶ୍ନ କରିଥିଲେ ସାଂସଦ।

ଏହାର ଉତ୍ତରରେ ଜିଲ୍ଲାପାଳ ସରୋଜ ସେଠୀ କହିଥିଲେ ସେ କ’ଣ ‘ରବର ଷ୍ଟାମ୍ପ’ କି ବୋଲି ଉଲ୍ଲେଖ କରିଥିଲେ। ଜବାବରେ ସାଂସଦ କହିଥିଲେ ନିଜେ ରବର ଷ୍ଟାମ୍ପ କି ନୁହେଁ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ବାକ୍ ଯୁଦ୍ଧକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ପ୍ରତି ତିନିରୁ ଚାରି ମାସରେ ବୈଠକ ହେବା ସହ ଡିଏମ୍ଏଫ୍ ପାଣ୍ଠିକୁ ବର୍ଷକ ପୂର୍ବରୁ ଅନୁମୋଦନ କରି ପ୍ରକଳ୍ପ ଗୁଡିକୁ ଠିକ୍ ସମୟରେ ଶେଷ କରିବାକୁ ସାଂସଦ ମହେଶ ସାହୁ ଦାବି କରିଛନ୍ତି। ଅଧିକାରୀମାନେ ମଧ୍ୟ ନିୟମକୁ ଉଲଘଂନ କରୁଥିବା ଅଭିଯୋଗ ହୋଇଛି।ତେବେ କୌଣସି ମୁହାଁମୁହିଁ ଖବରକୁ ଜିଲ୍ଲାପାଳ ସରୋଜ ସେଠୀ ଖଣ୍ଡନ କରିବା ସହ ଏହା କେବଳ ମତାନ୍ତର ବୋଲି ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ବଲାଙ୍ଗୀରରେ ଜିଲ୍ଲାପାଳଙ୍କ ସହ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କର ବିବାଦ ସାମ୍ନାକୁ ଆସିଥିଲା। ସେହିପରି କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ୱର ଟୁଡୁ ଓ ଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଡିଏମ୍ଏଫ୍ ହେଉଛି ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୧୫ ଅନୁଯାୟୀ ସୃଷ୍ଟି କରାଯାଇଥିବା ଏକ ପାଣ୍ଠି, ଯାହାଦ୍ୱାରା ଖଣି ସମ୍ବନ୍ଧୀୟ କାର୍ଯ୍ୟ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଲାଭ ମିଳିପାରିବ। ଏହି ଅର୍ଥକୁ ପ୍ରଭାବିତ ଅଞ୍ଚଳ ଓ ଲୋକଙ୍କ କଲ୍ୟାଣ ଓ ବିକାଶ କାମରେ ବିନିଯୋଗ କରାଯିବ।

Comments are closed.