ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଆଗାମୀ ମାସରୁ ଆରମ୍ଭ ହୋଇଯିବ । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ତାହା ଏବେ ବି ପ୍ରଶଂସକଙ୍କମାନେ ଜାଣି ପାରୁ ନାହାନ୍ତିି । ତେବେ ଏହି ରହସ୍ୟରୁ ଏବେ ପରଦା ଉଠିଛି । ଚେନ୍ନାଇର ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ଏସ.ବିଶ୍ୱନାଥନ ସଙ୍କେତ ଦେଇଛନ୍ତି ଯେ, ଧୋନୀ ଏହି ସଂସ୍କରଣରେ ଖେଳିବେ । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଧୋନୀ ନିଜେ କିନ୍ତୁ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି । ଆଇପିଏଲ ଇତିହାସରେ ଧୋନୀ ସଫଳ ଅଧିନାୟକ ଭାବେ ପରିଗଣିତ ହୁଅନ୍ତି । ତାଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଟାଇଟଲ ହାସଲ କରିଛି । ସେ ଆଇପିଏଲରେ ଓଭରାଲ ୨୩୫ ମ୍ୟାଚରେ ନେତୃତ୍ୱ ନେଇ ୧୩୬ରେ ବିଜୟୀ ହୋଇଛନ୍ତି ।
ଆଇପିଏଲରେ ଏଥର ୧୦ଟି ଟିମ ଅଂଶଗ୍ରହଣ କରିବେ । ୨୦୨୩ ପରଠାରୁ ଚେନ୍ନାଇ ଆଉ ଟାଇଟଲ ହାସଲ କରିପାରି ନାହିଁ । ଏବେ ରିତୁରାଜ ଗାଏକ୍ୱାଡ ଦଳର ନେତୃତ୍ୱ ନେଉଛନ୍ତି । ଧୋନୀ ୨ଟି ସଂସ୍କରଣ ହେବ ଆଇପିଏଲରେ ଖେଳୁଥିଲେ ମଧ୍ୟ ତାଙ୍କ ଯୋଗଦାନ ବହୁତ କମ ରହୁଛି । ଆଘାତ ସମସ୍ୟା ଏହାର ବଡ କାରଣ ଭାବେ ବିବେଚନା କରାଯାଉଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଧୋନୀ ଚେନ୍ନାଇରେ ମ୍ୟାଚ ଖେଳି ଏଥର ଅବସର ଘୋଷଣା କରିବେ ।