ମହେନ୍ଦ୍ର ସିଂ ଧୋନୀ ଜଣେ ଭଲ ଅଧିନାୟକ ଏବଂ ଶ୍ରେଷ୍ଠ ଫିନିଶର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ଥର ଚାମ୍ପିୟନ ହୋଇଛି । ଏଥିପାଇଁ ଚେନ୍ନାଇ ପ୍ରଶଂସକ ତାଙ୍କ ପାଇଁ ଏକପ୍ରକାର ପାଗଳ ହୋଇ ଯାଇଥାନ୍ତି । ଧୋନୀଙ୍କ ଝଲକ ଏବଂ ବ୍ୟାଟିଂକୁ ସେମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ପଡିଆରେ ତାଙ୍କର ପ୍ରତ୍ୟେକ ଗତିବିଧି ଉପରେ କ୍ୟାମେରାର ନଜର ରହିଥାଏ । ଆଉ ପ୍ରଶଂସକଙ୍କ ସବୁ କିଛି ଭଲ ଲାଗିଥାଏ । ଚେନ୍ନାଇ ଟିମର ଫ୍ରାଂଚାଇଜର ଏହାକୁ ଭଲ ଭାବେ ହୃଦୟଙ୍ଗମ କରିଥାନ୍ତି । ଟିମ ଅପେକ୍ଷା ସେ ଧୋନୀଙ୍କୁ ଏକପ୍ରକାର ପ୍ରଡକ୍ଟ ଏବଂ ବ୍ରାଣ୍ଡ ଭାବେ ବ୍ୟବହାର କରିବା ଆରମ୍ଭ କରିଛନ୍ତି ।
ଏବେ ଏହି ରଣନୀତି ବୁମେରାଂ ହେବାରେ ଲାଗିଛି । ଧୋନୀଙ୍କ ପ୍ରଶଂସକମାନେ ନିରାଶ ହେଉଛନ୍ତି । ଥାଲା ଆସିବେ ୯ରେ ବ୍ୟାଟିଂ କରିବାକୁ… ସେମାନେ ବୁଝି ପାରୁ ନାହାନ୍ତି । ଯଦି ସେ ଫିଟ ଅଛନ୍ତି ତେବେ ସବୁ କିଛି ଦାୟିତ୍ୱ ବହନ କରନ୍ତୁ । ଅନଫିଟ ରହି ଜୋର ଜବରଦସ୍ତ ଖେଳିବା ଯୋଗୁ ଦଳର କ୍ଷତି ଘଟୁଛି । ତାଙ୍କ ବଦଳରେ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିପାରିବ । ସାଥୀ ଖେଳାଳି ଏବଂ ଫ୍ରାଂଚାଇଜରଙ୍କ ଧୋନୀଙ୍କୁ ବୁଝାଇବା ସାହସ ରହୁନି । ଟିମର ବ୍ରାଣ୍ଡଭାଲ୍ୟୁ କମିବା ଭୟ ମଧ୍ୟ ରହିଛି । ପୂର୍ବତନ ଖେଳାଳି, ଭାଷ୍ୟକାର ଏବଂ ସମୀକ୍ଷକ ମାନେ ଏବେ ଖୋଲାଖୋଲି ଭାବେ ଏହି ରଣନୀତିକୁ ସମାଲୋଚନା କରିଛନ୍ତି । ଦେଖାଯାଉ ଆଗକୁ ଫ୍ରାଚାଇଜ କେଉଁ ପଦକ୍ଷେପ ଗ୍ରହଣ କରୁଛି ।
ଆଇପିଏଲ ୧୮ତମ ସଂସ୍କରଣରେ ବର୍ତମାନ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗସ ସେ ଭଳି ଉତ୍ସାହଜନକ ପ୍ରଦର୍ଶନ କରି ନାହିଁ । ଯେଉଁ ଟିମ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୫ ଥର ଚାମ୍ପିୟନ ହୋଇଥିଲା ଏବେ ବିଜୟ ପାଇଁ ସଂଘର୍ଷ କରୁଛି । ଧୋନୀଙ୍କୁ ବିଶ୍ୱର ଶ୍ରେଷ୍ଠ ଫିନିଶର କୁହାଯାଏ । ଅଥଚ ୨୦୨୩ ପରଠାରୁ ଆଇପିଏଲରେ ଧୋନୀ ଭଲ ଖେଳିଥିବା ଅଧିକାଂଶ ମ୍ୟାଚରେ ଚେନ୍ନାଇ ହାରିଛି । ବିଶେଷ କରି ଚେଜ କରୁଥିବା ବେଳେ ଚେନ୍ନାଇ ହରଡଘଣାରେ ପଡୁଛି ।
୨୦୨୩ ପରଠାରୁ ଦଳ ଚେଜ କରୁଥିବା ବେଳେ ଧୋନୀ ୮ଟି ମ୍ୟାଚରେ ବ୍ୟାଟିଂ କରିଛନ୍ତି । ଏଥିରେ ସେ ଭଲ ପ୍ରଦର୍ଶନ କରିଥିବା ମ୍ୟାଚରେ ଚେନ୍ନାଇ ୫ ଥର ହାରିଛି । ଧୋନୀ ଏହି ମ୍ୟାଚଗୁଡିକରେ ଓଭରାଲ ୭୩ ବଲର ସମ୍ମୁଖୀନ ହୋଇ ୧୫୦ ରନ କରିଛନ୍ତି । ୧୨ ଚୌକା ଓ ୧୨ ଛକା ମଧ୍ୟରେ ଏଥିରେ ସାମିଲ ।
ବାକି ୩ଟି ମ୍ୟାଚରେ ସେ ୯ ବଲରେ ୩ ରନ କରିଛନ୍ତି । ଚେଜ ବେଳେ ଧୋନୀ ଯେଉଁ ସମୟରେ ବ୍ୟାଟିଂ କରିବାକୁ ଆସୁଛନ୍ତି ସେତେବେଳେ କେବଳ ଔପଚାରିକତା ବାକି ରହୁଛି । ଧୋନୀଙ୍କ ଛକା ଓ ଚୌକା କାମରେ ଲାଗୁନି । ଟିମକୁ ଜିତାଇବାକୁ ହେଲେ ତାଙ୍କୁ ଉପରେ ବ୍ୟାଟିଂ କରିବା ସହ ଦାୟିିିିତ୍ୱ ନେବାକୁ ପଡିବ । ଅନ୍ୟଥା ପ୍ରଶଂସକଙ୍କ ମନରୁ ବାହାରିଯିବା ବେଶୀ ସମୟ ଲାଗିବ ନାହିଁ ।
Comments are closed.