Latest Odisha News

କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତି, କମିଲା ୪୧ଟି ଜରୁରୀ ଔଷଧର ଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି। କମିଲା ୪୧ ଟି ଜରୁରୀ ଔଷଧର ଦର। ମଧୁମେହ, ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ, ସଂକ୍ରମଣ ଏବଂ ଆଲର୍ଜି ପାଇଁ ବ୍ୟବହାର କରାଯାଉଥିବା କିଛି ଔଷଧର ମୂଲ୍ୟକୁ କମାଇ ନୂତନ ମୂଲ୍ୟ ସ୍ଥିର କରିଛନ୍ତି କେନ୍ଦ୍ର ସରକାର।

ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ଅଫ୍ ଇଣ୍ଡିଆ ବା ଏନପିପିଏର ୧୪୩ତମ ବୈଠକରେ ୪୧ ଔଷଧ ତଥା ୭ଟି ଫର୍ମୁଲେଶନର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନପିପିଏ ଏକ ସରକାରୀ ରେଗୁଲେଟରି ଏଜେନ୍ସି। ଏହା ଭାରତରେ ଔଷଧର ଦର ନିୟନ୍ତ୍ରଣ କରେ ।

ଭାରତରେ ମଧୁମେହ ରୋଗର ମୋଟ ଜନସଂଖ୍ୟାର ପ୍ରାୟ ୧୦ କୋଟି ଲୋକ ପୀଡ଼ିତ ଅଛନ୍ତି। କହିବାକୁ ଗଲେ ବିଶ୍ୱରେ ସବୁଠାରୁ ଅଧିକ ମଧୁମେହ ରୋଗୀ ଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ସବୁଠାରୁ ଆଗରେ। ଆମ ଦେଶରେ ମଧୁମେହ ରୋଗ ସତେ ଯେପରି ତାର କାୟା ବିସ୍ତାର କରିଚାଲିଛି। ତେବେ ମଧୁମେହ ରୋଗ ପାଈଁ ବ୍ୟବହୃତ ଔଷଧ ଏବଂ ଇନସୁଲିନ ନେଉଥିବା ଲୋକଙ୍କ ପାଈଁ ଏହା ଏକ ଖୁସିର ଖବର ।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀରେ ଏନପିପିଏ ସୁଗାର ଏବଂ ବିପି ସମେତ ୬୯ ଔଷଧର ମୂଲ୍ୟ ସଂଶୋଧନ କରି ନୂତନ ମୂଲ୍ୟ ଲାଗୁ କରିଥିଲା। ଏଥିରେ ୩୧ଟି ଫର୍ମୁଲେଶନ ଔଷଧ ମଧ୍ୟ ସାମିଲ ଥିଲା ।

Comments are closed.