Latest Odisha News

BREAKING NEWS

ଦିଗପହଣ୍ଡିରେ ଡାଇରିଆ ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ଦେଖାଦେଇଥିବା ଡାଇରିଆ ରୋଗକୁ ସପୂର୍ଣ୍ଣ ନିୟନ୍ତ୍ରଣାଧୀନ କରାଯାଇଛି। ଚଳିତ ମାସ ୬ରେ ବିକ୍ଷିପ୍ତ ଭାବେ ଆରମ୍ଭ ହୋଇଥିବା ଏହି ରୋଗ ସ୍ଥିତିରେ ସୁଧାର ଆସିଛି।

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ୬ ତାରିଖ ଠାରୁ ଆଜି ଅପରାହ୍ନ ସୁଦ୍ଧା ଉସ୍ତପଲ୍ଲୀ ଗ୍ରାମରେ ସମୁଦାୟ ୧୧ ଜଣ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଆଜି ସେହି ଗ୍ରାମରୁ କୌଣସି ନୂଆ ରୋଗୀ ହସ୍ପିଟାଲ ଆସିନାହାନ୍ତି। ସଂକ୍ରମିତ ୧୧ ଜଣଙ୍କ ମଧ୍ୟରୁ ଦୁଇଦିନ ଭିତରେ ୬ ଜଣଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା ଏବଂ ଅବଶିଷ୍ଟ ୫ ଜଣଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।

ଆଜି ଅପରାହ୍ନ ସୁଦ୍ଧା ଏମ.କେ.ସି.ଜିରୁ ୫ ଜଣଙ୍କୁ ଆରୋଗ୍ୟ ଲାଭ ପରେ ଡିସଚାର୍ଜ କରାଯାଇଛି। ଜଣେ ୫ ବର୍ଷର ଶିଶୁଙ୍କର ଶ୍ୱାସ ସମ୍ବନ୍ଧିତ ଅସୁବିଧା ଥିବାରୁ ତାଙ୍କୁ ସ୍ଵତନ୍ତ୍ର ଚିକିତ୍ସା ଦିଆଯାଉଛି। ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ସମସ୍ତ ୫ ଜଣ ରୋଗୀଙ୍କୁ ଆରୋଗ୍ୟ ଲାଭ ପରେ ଡିସଚାର୍ଜ କରାଯାଇଛି।

ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ବିଷୟରେ ମିଳିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ତାହା ଡାଇରିଆ ଜନିତ ନଥିଲା ବୋଲି ଜଣାପଡିଛି। ସ୍ଵର୍ଗତ ଦାସ ଶବର ପ୍ରାୟ ୭୦ ବର୍ଷ ବୟସ୍କ ଥିଲେ। ତାଙ୍କର କଳାଝାଡା ରୋଗ ଯୋଗୁ ଜୁଲାଇ ୩ ତାରିଖ ସକାଳ ୭.୩୦ ମିନଟ୍ ସମୟରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ସେ ନିଜ ଘରେ ଥିଲେ।

ଅନ୍ୟ ମୃତକ ଜଣକ ହେଲେ ପ୍ରକାଶ ରାଇତିଆ। ତାଙ୍କର ପେଟରେ ଯନ୍ତ୍ରଣା ଓ ବାନ୍ତି ହେବାରୁ ୭ ତାରିଖ ଦିନ ସେ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ପରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ସୁପାରିଶ କରିଥିଲେ। କିନ୍ତୁ ସେ ଘରକୁ ଫେରିଯାଇଥିଲେ ଏବଂ ରାତିରେ ଅଧିକ ଯନ୍ତ୍ରଣା ହେବାରୁ ଘରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଉଥିବା ବାଟରେ ସେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ପୋଷ୍ଟମର୍ଟମ କରାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ।

ତେବେ ତାଙ୍କର ମୃତ୍ୟୁ ଡାଇରିଆ ଜନିତ ନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି। ପୂର୍ବରୁ ତାଙ୍କର ଏ ରୋଗ ଥିଲା। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୩୫ ବର୍ଷ ବୟସ ହୋଇଥିଲା।

ଡାଇରିଆ ସପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇଥିଲେ ସୁଦ୍ଧା କ୍ଷେତ୍ର ସ୍ତରୀୟ ସଚେତନତା ଏବଂ ନିୟମିତ ବିଶୋଧନ କାର୍ଯ୍ୟ ଜାରି ରଖିବାକୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

 

Comments are closed.