ବ୍ରହ୍ମପୁର: ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ । ଏଇ ବାହାଘରରେ କେତେ ଖୁସି ମନେଇଥିଲେ । ହସିଥିଲେ, ନାଚିଥିଲେ । ସେ ସବୁର ଫଟୋ ଏବେ ସୋସିଆଲ ମିଡିଆାରେ ଘୁରି ବୁଲୁଛି । ହସଖୁସି ମୁହୂର୍ତ୍ତର ଏଇ ଫଟୋ ଦେଖି ପରିବାର ଲୋକଙ୍କ ଛାତି ଫାଟି ଯାଉଛି ।
ଏଇ ଫଟୋକୁ ଥରେ ଭଲ କରି ଦେଖନ୍ତୁ । ଝିଅ ସହ ଫଟୋ ଉଠାଇବା ପାଇଁ କେମିତି ହସି ହସି ପୋଜ ଦେଉଛନ୍ତି ଏମାନେ । କିଏ ପୁଣି ବାହାଘରରେ ଝିଅର ହାତଗଣ୍ଠି ଫିଟାଇବ ବୋଲି ଚାହିଁ ରହିଛି । କିନ୍ତୁ ଏ ହସ ପଛପଟେ କାଳର ଏମିତି କରାଳ ହସ ଲୁଚି ରହିଥିବ କିଏ ଜାଣିଥିଲା । କିଏ ଜାଣିଥିଲା ଏ ଖୁସି ମାତ୍ର କେଇ ଘଣ୍ଟାର ବୋଲି ? ଏମାନଙ୍କ ମଧ୍ୟରୁ କିଏ ସବୁଦିନ ପାଇଁ ଆଖି ବୁଜି ଦେଇଛି ତ କିଏ ଡାକ୍ତରଖାନା ବିଛଣାରେ ମୃତ୍ୟୁ ସହ ଲଢୁଛି । ଆମେ କହୁଛୁ ବ୍ରହ୍ମପୁର ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ଘଟିଥିବା ହୃଦୟ ବିଦାରକ ଦୁର୍ଘଟଣାରେ କଥା ।
ରବିବାର ରାତିରେ ବ୍ରହ୍ମପୁର ବ୍ରହ୍ମାନଗରରେ ଥିଲା ବାହାଘର । ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ ପ୍ରାୟ ୩୦ ଜଣ ଲୋକ । ବାହାଘର ସରିଲା । ବାହାଘର ଭୋଜି ଖାଇଲେ । କନ୍ୟା ବିଦା ପରେ ଏକ ମିନି ବସରେ ସମସ୍ତେ ନିଜ ଗାଁକୁ ଫେରୁଥିଲେ ।
ଘରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ବାକିଥାଏ । ରାତି ପ୍ରାୟ ସାଢେ ଗୋଟାଏ ହେବ । ଖେମୁଣ୍ଡି ଛକ ପାରି ହୋଇ ମଳାଭଂଜା ନିକଟରେ ମିନି ବସଟି ପହଂଚି ସାରିଥିଲା । ଏହି ସମୟରେ ବିପରୀତ ଦିଗରୁ ଗୁଡାରୀରୁ ବ୍ରହ୍ମପୁର ଆସୁଥିବା ଓଏସଆରଟିସିର ଏକ ବସ୍ ଦ୍ରୁତ ଗତିରେ ଆସି ମିନି ବସଟିକୁ ଧକ୍କା ଦେଇଥିଲା ।
ଅତି ଭୟଙ୍କର ଥିଲା ଏ ଦୁର୍ଘଟଣା । ଉଭୟ ବସର ସାମ୍ନାପଟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । କେହି କିଛି ବୁଝିବା ଆଗରୁ ଅନ୍ଧାର ଭିତରେ ହଜି ଯାଇଥିଲା ଅନେକ ଜୀବନ । ଆଉ କେହିଁ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ । କାନ୍ଦବୋବାଳି, ଚିତ୍କାରରେ ଫାଟି ପଡୁଥିଲା ସେ ସ୍ଥାନ । ସ୍ଥାନୀୟ ଲୋକେ, ପୋଲିସ ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ସେତେବେଳକୁ ୧୧ ଜଣଙ୍କର ଜୀବନ ଚାଲିଗଲାଣି । ଡାକ୍ତରଖାନା ନେବା ବାଟରେ ଆଉ ଜଣେ ଆଖି ବୁଜିଥିଲେ । ୮ ଜଣ ଏବ ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମୃତକମାନେ ହେଲେ, ଶିବାନୀ ପ୍ରଧାନ, ରୂପାଲି ପ୍ରଧାନ, ସୁଜ୍ଞାନୀ କୁମାର ପ୍ରଧାନ, ସଙ୍ଗୀତା ଡାକୁଆ, ଲିଟୁ ନାୟକ, ତ୍ରିପତି ପ୍ରଧାନ, ରମେଶ ପ୍ରଧାନ, ସୀତାରାମ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ସଞ୍ଜୟ ମେଦିନ ରୟ । ଏମାନଙ୍କ ସହିତ ବର୍ଷକର ଶିଶୁ ହାର୍ଦ୍ଦିକ ଓ ୩ ବର୍ଷର ଶିଶୁ ଦିବ୍ୟାଂଶୁ ପ୍ରଧାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।
Comments are closed.