ଗଞ୍ଜାମ: ଶେଷ ହୋଇଛି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ଫଳାଫଳ ବି ସାମ୍ନାକୁ ଆସିସାରିଛି । ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ସାମ୍ନାକୁ ଆସିବା ପରେ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିପିନ ପ୍ରଧାନ ଗୋଷ୍ଠୀର ସମର୍ଥକ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ସେପଟେ ନାମାଙ୍କନ ଦାଖଲ ପାଇଁ ବିପ୍ଳବ ପାତ୍ର ଗୋଷ୍ଠୀ ଆସିଲେନି । ତେଣୁ ଯମୁନା ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
କହିରଖିବୁ, ନିକଟରେ ବିଜେଡିରୁ ବିପିନ ପ୍ରଧାନ ନିଲମ୍ବିତ ହୋଇଥିଲେ । ଦଳବିରୋଧୀ କାର୍ଯ୍ୟ ଦର୍ଶାଇ ବିପିନଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ତାଙ୍କର ଦଳର ସମର୍ଥକ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବାବେଳେ ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହୋଇଥିଲା । ଗତ ଅଗଷ୍ଟ ୩୧ ତାରିଖରେ ମତଦାନ ବେଳେ ପ୍ରବଳ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ ନିର୍ବାଚନକୁ ବାତିଲ କରାଯାଇଥିଲା । ତେଣୁ ଆଜି ପୁଣି ଥରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି କରାଯାଇଥିଲା । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ମଧ୍ୟ କରାଯାଇଥିଲା । ସୁରକ୍ଷା ଲାଗି ୫ ପ୍ଳାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯାଇଛି ।
ଗଞ୍ଜାମରେ ଗତ କିଛି ଦିନ ଧରି ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏଠାରେ ଥିବା ନେତା ମାନଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଉଛି ତାହାକୁ ଦେଖି ଜନ ପ୍ରତିନିଧି ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଭୟର ବାତାବରଣ ଭିତରେ ସମିତି ସଭ୍ୟଙ୍କୁ ଜନତା ପାଳି କରି ସୁରକ୍ଷା ଯୋଗାଇ ଦେଉଛନ୍ତି ।
Comments are closed.