ଭୁବନେଶ୍ୱର: ଥାନା ଭିତରର ଅନୁଭୂତି ତିକ୍ତ । ମକଦ୍ଦମା ହେଉ କି କିଛି ଆବଶ୍ୟକୀୟ କାମ ପାଇଁ ଥାନାକୁ ଯିବା ବେଳର ଅନୁଭବ ଅସହଜ । ଏଥରେ ଅସହମତିର କିଛି ପ୍ରଶ୍ନ ନାହିଁ । ତେବେ ଏହି ଅନୁଭବକୁ ବଦଳେଇ ଏକ ସୁସ୍ଥ ଭାବନା ଦେବା ପାଇଁ କମିଶନରେଟ ପୋଲିସ ଉଦ୍ୟମ କରିଛି ।
ଫାଲକନ ଗ୍ରୁପ ଏବଂ କମିଶନରେଟ ପୋଲିସର ମିଳିତ ସହଭାଗିତାରେ ଏକ ଡିଜିଟାଲ ଅଭିଯୋଗ ପ୍ରକୋଷ୍ଠ କ୍ୟାପିଟାଲ ଥାନାରେ ଆରମ୍ଭ ହୋଇଛି । ପୁରୁଣା କୋଠା ଭଳି ଆଉ ଦେଖାଯାଉନି । କୌଣସି ଏକ କର୍ପୋରେଟ ଅଫିସ ର ରିସେପ୍ସନ ଭଳି ଦିଶୁଛି ଏହି ପ୍ରକୋଷ୍ଠ ।
ଏଠାରେ ବାହାଘର, ବ୍ରତଘର, ମୋବାଇଲ ମିସିଂ, ଗନ ଲାଇସେନ୍ସ ଏବଂ ପାସପୋର୍ଟ ସମ୍ବନ୍ଧୀୟ ଅଭିଯୋଗ ଓ ଜରୁରୀ କାର୍ଯ୍ୟ ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି । ଖାକି ପୋଷାକ ବଦଳରେ ସାଧା ପୋଷାକରେ ବସୁଛନ୍ତି ପୋଲିସ କର୍ମଚାରୀ । ଯାହା ଗୋଟିଏ ସାଧାରଣ ଲୋକକୁ ସ୍ୱାଭାବିକ ଅନୁଭବ ଦେବା ସହ ସୁସ୍ଥ ବାତାବରଣରେ ଯୋଗେଇବ ।
ରବିବାର ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଅଭିଯୋଗ ପ୍ରକୋଷ୍ଠକୁ ଉଦଘାଟନ କରିଛନ୍ତି । ଏହି ଅଭିଯାନକୁ ସ୍ୱାଗତମ ଅଭିଯାନ ନାମକରଣ କରାଯାଇଛି ।
ବ୍ୟବସ୍ଥା କିଛି ସଂକ୍ଷେପରେ- ଅଭିଯୋଗକାରୀଙ୍କ ମୌଖିକ ଅଭିଯୋଗକୁ ସ୍ୱାଗତ ଆପ୍ ଜରିଆରେ ରେକର୍ଡ କରି ଷ୍ଟେସନ ଡାଏରି କରାଯିବ ।
ତତକ୍ଷଣାତ ଲିଖିତ ଅଭିଯୋଗ ପାଇଁ ସ୍ୱତନ୍ତ୍ର ଅଧିକାରୀଙ୍କ ନିକଟକୁ ପଠାଇ ଡିଜିଟାଲ ଲିଖିତ ଅଭିଯୋଗ ରହିବ ।
ଅଭିଯୋଗ ନିଶ୍ଚିତତା ବା କନଫରମେସନ ପାଇଁ ମୋବାଇଲରେ ମେସେଜ ଦିଆଯିବାର ବ୍ୟବସ୍ଥା କରାଯାଇଛି ।
ଥାନାର ସମସ୍ତ ସମାଧାନ ଡିଜିଟାଲ କରାଯିବାକୁ ଲକ୍ଷ ନେଇ ଏହି ଅଭିଯାନ କରାଯାଇଛି ବୋଲି କମିଶନର କହିଛନ୍ତି ।
Comments are closed.