Latest Odisha News

ସ୍ବାସ୍ଥ୍ୟ ବିଭାଗର ଅବହେଳା; ଡିପଥେରିଆରେ ଗଲା ୫ ଜୀବନ

ରାୟଗଡା: ବଡ ଭୁଲ୍ କରିଛି ସ୍ବାସ୍ଥ୍ୟ ବିଭାଗ । ୪ ବର୍ଷ ହେଲା ହୋଇନି ଟିକାକରଣ । ଯେଉଁ କାରଣରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ରୋଗ। ବିଶେଷକରି କାଶୀପୁର, କଲ୍ୟାଣସିଂହପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକରେ ସବୁବେଳେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ଲୋକେ । ଯାହାର ସତ ଏବେ ସାମ୍ନାକୁ ଆସିଛି । ଧରାପଡିଛି ସ୍ୱାସ୍ଥ୍ୟ ବିଭାଗର ମିଛ ଟିକାକରଣ । ମୁନୁଷପଦର ଗାଁରେ ଡିପଥେରିଆ ବ୍ୟାପି ୫ ଜଣଙ୍କ ମୃତ୍ୟୁ ପରେ ସ୍ବତନ୍ତ୍ର ଟିମର ସମୀକ୍ଷାରେ ଜଣାପଡିଲା । ମୁନୁଷପଦ ଅଞ୍ଚଳ ସମେତ ମୋଟ ୧୨ଟି ଗାଁରେ ଗତ ୪ ବର୍ଷ ହେଲା କୌଣସି ଶିଶୁଙ୍କୁ ଟିକା ଦିଆଯାଇନି । ଯେଉଁ କାରଣରୁ ପ୍ରତିବର୍ଷ ଯାଉଛି ଜୀବନ ।

ତେବେ ମୁନୁଷପଦର ଗାଁରେ ଡିପଥେରିଆ ବ୍ୟାପିବା ପରେ ଏହାର କାରଣ ଜାଣିବା ଓ ସ୍ଥିତି ସମୀକ୍ଷା ପାଇଁ ବିଧାୟକ ଆପଲାସ୍ୱାମୀ କାଡ୍ରାକା ଗଟଣାସ୍ଥଳରେ ପହଞ୍ଚିଥିଲେ । ଅନୁଧ୍ୟାନ ସମୟରେ ଗାଁର କୌଣସି ଶିଶୁଙ୍କୁ ଗତ ୪ ବର୍ଷ ହେବ ଟିକାକରଣ କରାଯାଇନଥିବା ଗୁରୁତର ଅଭିଯୋଗ ଆଣିଥିଲେ ଗାଁ ଲୋକେ । ଏଭଳି ଅଭିଯୋଗକୁ ନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ଯାହାପରେ ଜଣାପଡିଲା ବଡ ସତ ।

କେବଳ ମୁନୁଷପଦର ଗାଁ ନୁହେଁ, ନିକଟବର୍ତ୍ତୀ ୧୨ଟି ଗାଁରେ ଗତ ୪ ବର୍ଷ ହେବ ଜମା ଟିକାକରଣ ହିଁ ହୋଇନାହିଁ । ଖୋଦ୍ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଏହା ସ୍ୱୀକାର କରିଛନ୍ତି । ଗତ ୪ ବର୍ଷ ହେବ କାଶୀପୁର ବ୍ଲକର ୧୨ଟି ଗାଁରେ ମୁନୁଷପଦର, ଜି. ମୁର୍କା, ଡି. ମୁର୍କା, ଗୁମୁଣ୍ଡିମୁଣ୍ଡି, କଡ଼ିକିତୁଣ୍ଡା, ଗାଇମୁଣ୍ଡତୁଣ୍ଡା, ଆମ୍ବଳିଘାଟିତୁଣ୍ଡା, ମଲ୍ଲିଝରଣ ଇତ୍ୟାଦିରେ ଟିକାକରଣ ହୋଇନାହିଁ । ଯାହା ପରେ ଆରମ୍ଭ ହୋଇଯାଇଛି ସର୍ଭେ  । ଏକାଥରକେ ଗୋଟିଏ ପଞ୍ଚାୟତର ୧୨ଟି ଗାଁ କିଭଳି ଟିକାକରଣରୁ ବାଦ ପଡ଼ିଲା, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଗୋଟେ ପଟେ ‘ମିଶନ ଇନ୍ଦ୍ରଧନୁଷ’ ଅନୁଯାୟୀ ଜିଲ୍ଲାର ଶତପ୍ରତିଶତ ଗାଁରେ ଟିକାକରଣ ହୋଇଥିବା ସରକାରଙ୍କୁ ରିପୋର୍ଟ ଦାଖଲ କରାଯାଇଛି । ହେଲେ ଏଠି ସ୍ଥିତି ସଂପୂର୍ଣ୍ଣ ଓଲଟା । ଯାହା ଅନୁଧ୍ୟାନ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କେଉଁ ପରିସ୍ଥିତିରେ ଗୋଟେ ନୁହେଁ ଦୁଇଟି ନୁହେଁ ଏକେଥରରେ ୧୨ଟି ଗାଁ ବାଦ୍ ପଡ଼ିଲା ଏବଂ ଶିଶୁମାନେ ଟିକା ନେବାରୁ ବଞ୍ଚିତ ହେଲେ ତାହା ତଦନ୍ତ ସାପେକ୍ଷ ବୋଲି ଦାବି କରିଛନ୍ତି ସାଧାରଣ ଜନତା।

Comments are closed.