ମୁମ୍ବାଇ: ମର୍ଯ୍ୟାଦାଜନକ ଫିଲ୍ମ ଆୱାର୍ଡ଼ ‘ଓସ୍କାର ୨୦୨୩’ରେ ଉଦ୍ଘୋଷିକା ଭାବେ ନଜରକୁ ଆସିବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିଜ୍ରେ ଢେର ଚର୍ଚ୍ଚା ହେଉଛି । କାରଣ ଇଏ ଏମିିତି ଏକ ମଞ୍ଚ ଯେଉଁଠି ଉଦ୍ଘୋଷିକା ଭାବେ ଯୋଗ ଦେବା ପାଇଁ କ୍ୱଚିତ୍ ଅଭିନେତା ଅଭିନେତ୍ରୀଙ୍କୁ ସୁଯୋଗ ମିଳିଥାଏ । ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଦେଇ ଦର୍ଶକଙ୍କ ମନ ଜିଣିଥିବା ଦୀପିକା ଏହି କାର୍ଯ୍ୟକ୍ରମ ଜରିଆରେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ନିଜକୁ ପୁଣି ଥରେ ପ୍ରମାଣିତ କରିବା ସହ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜ୍କୁ ଗର୍ବିତ କରିବେ ବୋଲି କହିବା ଠିକ୍ ହେବ ।
ନିକଟରେ ନିଜ ଇନଷ୍ଟାଗ୍ରାମ ପେଜରେ ଦୀପିକା ଏ କଥା ସେୟାର କରିବା ସହ ଏଥିପାଇଁ ସେ ଖୁସିଥିବା ଉଲ୍ଲେଖ କରିଥିଲେ । ଏହା ପରେ ତାଙ୍କ ପାଖକୁ ଫ୍ୟାନ ଓ ଫଲୋଅର୍ସଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବଲିଉଡ଼ଠାରୁ ହଲିଉଡ଼ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଫଲୋଅର୍ସ ତାଙ୍କୁ ଏଭଳି ଏକ ମଞ୍ଚରେ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ବୋଲି କମେଣ୍ଟସ୍ରେ ଉଲ୍ଲେଖ କରିଛନ୍ତି । ମଜା କଥା ହେଉଛି ଏହି ଅବସରରେ ଦୀପିକାଙ୍କ ଭଉଣୀ ଅନିଶା ପାଦୁକୋନ କମେଣ୍ଟରେ ଲେଖିଛନ୍ତି ‘ବୁମ’ । ସେହଭଳି ଦୀପିକାଙ୍କ ସ୍ୱାମୀ ରଣବୀର ସିଂ ମଧ୍ୟ କମେଣ୍ଟ ବକ୍ସରେ କ୍ଲାପ ଥିବା ଇମେଜ୍ ପୋଷ୍ଟ କରି ଦୀପିକାଙ୍କୁ ଉତ୍ସାହିତ କରିଛନ୍ତି । ଆସନ୍ତା ୧୩ ତାରିଖରେ ଲସ ଆଞ୍ଜେଲସର ଡାଲି ଥିଏଟରରେ ଏହି ଆୱାର୍ଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଭଳି ସମୟରେ ଚଳିତ ବର୍ଷ ଓସ୍କାର ଉତ୍ସବ ପାଇଁ ତିନୋଟି ଇଣ୍ଡିଆନ ଫିଲ୍ମ ଓସ୍କାର ଆୱାର୍ଡ ୨୦୨୩ ପାଇଁ ମନୋନୀତ ହୋଇଛି,ଯାହା ଭାରତୀୟ ଫିଲ୍ମ ପାଇଁ ଗର୍ବର ବିଷୟ ।
Comments are closed.