ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଫିଲ୍ମ, ଯାତ୍ରା ଓ ଧାରାବାହିକର ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ । ରବିବାର ଏକ ମୋଟର ସାଇକେଲ ଦୁର୍ଘଟଣାର ଶିକାର ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ପରଲୋକ ଘଟିଛି । ତୃପ୍ତି ବିଶ୍ୱାଳଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଓଲିଉଡ, ଜଲିଉଡ ଓ ଧାରାବାହିକ ଜଗତରେ ଶୋକର ଛାୟା ଖେଳିଯାଇଛି ।
ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ସହକାରୀ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ତୃପ୍ତି । ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ସୁନା କଳସ’ରେ ନିର୍ଦ୍ଦେଶନାର ଭାର ସମ୍ଭାଳିଥିଲେ । ଏଥିସହ ଆହୁରି ଅନେକ ଲୋକପ୍ରିୟ ମେଗା ଧାରାବାହିକ ‘ଅହଙ୍କାର’, ‘ବନ୍ଧନ’, ‘ସୁନା କଳସ’, ‘ଆହୁତି’, ‘ଗାୟତ୍ରୀ’, ‘କିଛି ଲୁହ ପିଇ ଯାଏ ଓଠ’ ଏବଂ ‘ମଙ୍ଗୁଳା କନିଆଁ’ ଆଦି ଧାରାବାହିକରେ ନିର୍ଦ୍ଦେଶନା ଦେଇଥିଲେ ତୃପ୍ତି ।
ସେହିପରି ତୃପ୍ତି ‘ଜୟ ଶ୍ରୀରାମ’ ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ କାହାଣୀ ଓ ଚିତ୍ରନାଟ୍ୟ ରଚନା ମଧ୍ୟ କରିଥିଲେ । କେବଳ ସେତିକି ନୁହେଁ, ଯାତ୍ରା ଜଗତରେ ମଧ୍ୟ ସେ ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । ‘କେମିତି କହିବି ଏମିତି କଥା’, ‘ଏତେ ସରି ତତେ କିଏ କଲା’ , ‘କେମିତି କହିବି ଏମିତି କଥା’ ‘ମିଛୁଆ ରାଧୁଆ ଗପ ସରିଲା’, ‘ସ୍ୱପ୍ନ ମହଲର ସ୍ୱପ୍ନା’, ‘ଅଙ୍ଗନବାଡ଼ି ଦିଦି’, ‘ଷ୍ଟାଫନର୍ସ’ ଆଦି ଯାତ୍ରାରେ ନିର୍ଦ୍ଦେଶନା ବି ଦେଇଥିଲେ । ଅନେକ ନୂଆ କଳାକାରଙ୍କୁ ସେ ଫିଲ୍ମ ଓ ଧାରାବାହିକରେ କାମ କରିବାର ସୁଯୋଗ ଦେଇଥିଲେ ।
Comments are closed.