ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ପିସିସି ନୂଆ କମିଟି ଘୋଷଣା କରିଛି। ନୂଆ କମିଟି ଦେଖିଲେ ସମସ୍ତଙ୍କୁ ସାଙ୍ଗରେ ନେଇଯିବା ପାଇଁ ଏକ ସନ୍ତୁଳନ କମିଟି ତିଆରି ହୋଇଥିଲା ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖୁଥିବା ବେଳେ ଦଳରେ କିନ୍ତୁ ଆରମ୍ଭ ହୋଇଛି ମୁହଁଫୁଲାଫୁଲି ପ୍ରତିଦ୍ୱନ୍ଦୀତା। ଯାହାକୁ ନେଇ ଏବେ ପୁଣି ବିବାଦରେ କଂଗ୍ରେସ କଳି।
ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କୁ ଦଳରେ ବରିଷ୍ଠ ଉପସଭାପତି ପଦ ମିଳିଛି। ହେଲେ ସେ ପଦ ମିଳିବା ପରେ ପ୍ରତିକ୍ରିୟାରେ କହିଛନ୍ତି, ସେ ଏହି ପଦବୀକୁ ନେଇ ଅସନ୍ତୁଷ୍ଚ। ହେଲେ ସେ ଦଳରେ କୌଣସି ଖରାପ ହେଉ ବୋଲି ଚାହାନ୍ତି ନାହିଁ। ତାଙ୍କ ନାମ ଯଥେଷ୍ଚ। ନହେଲେ ସେ ପଦରୁ ଇସ୍ତଫା ଦେବାକୁ ରାଜି ଅଛନ୍ତି ବୋଲି କହିଛନ୍ତି। ତେବେ ତାରା ଏପରି କହିବା ପଛରେ ଆଗାମୀ ଦିନରେ ହେବାରୁ ଥିବା ଦଳର ଜିଲ୍ଲା ସଭାପତି ପରିବର୍ତ୍ତନ ବୋଲି କୁହାଯାଉଛି। କାରଣ ଜୟୁପରରେ ତାଙ୍କ ପତ୍ନୀ ମୀନାକ୍ଷା ବାହୀନିପତି ଦଳର ଜିଲ୍ଲା ସଭାପତି ରହିଛନ୍ତି।
ସମାନ କଥା ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ମୁହଁରୁ ଶୁଣିବାକୁ ମିଳିଛି, ଜିଲ୍ଲା ସଭାପତିରୁ ସାଧାରଣ ସଂପାଦକ ଦାୟିତ୍ବ ମିିଳିଥିବାରୁ ଖୁସି ଜାହିର କରିଛନ୍ତି। କିନ୍ତୁ ଆଗାମୀ ଦିନରେ ଯଦି ଜିଲ୍ଲା ସଭାପତି ପରିବର୍ତନ ହେବ ତାହେଲେ ଅଡୁଆ ସୃଷ୍ଟି ହୋଇପାରେ କହି ସେ ମଧ୍ୟ ଅସନ୍ଚୁଷ୍ଟ ଧାଡିରେ ଛିଡା ହେବାକୁ ରାଜି ଅଛନ୍ତି ବୋଲି ପରୋକ୍ଷରେ କହିଛନ୍ତି।
ଅନ୍ୟପଟେ କମିଟି ଗଠନ ପରେ ସମସ୍ତଙ୍କ ନଜର ଥିଲା ଗୋଚିଏ ନାଁ ଉପରେ। ସେ ହେଉଛନ୍ତି କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ। ସେ ପରିଚାଳନା କମିଟିର ସଦସ୍ୟ ହୋଇଛନ୍ତି। ଯେଉଁଥିରେ ଦଳର ବରିଷ୍ଠ ନେତାମାନେ ରହିଛନ୍ତି। ତେବେ ନୂଆ ପଦ ପାଇଲା ପରେ କହିଛନ୍ତି, ବୋଧେ ଦଳ ଭୁଲି ଯାଇଛି ଯେ ତାଙ୍କୁ ପରିଚାଳନା କମିଟିରେ ରଖାଯାଇଛି। ଦଳୀୟ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ରଖାଯାଉଥିବା ସେ ଅଭିଯୋଗ ଆଣିଥିଲେ। ଏହାପରେ ସେ ପରିଚାଳନା କମିଟି ପଦ ପାଇବାକୁ ନେଇ ଏପରି କହିଛନ୍ତି।
ତେବେ ଦଳରେ ମୁହଁ ଫୁଲାଇବା ଭଳି ଅନେକ ନେତା ଦେଖିଇବା ଆରମ୍ଭ କରିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କମିଟି ଗଠନ କରାଯାଇଛି। ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରାଯିବ।
ଉଲ୍ଲେଖଯୋଗ୍ୟ, ଏଆଇସିସି ପକ୍ଷରୁ ୫ଜଣ ବରିଷ୍ଠ ଉପ-ସଭାପତି, ୧୨ ଉପ-ସଭାପତି, ୩୯ଜଣ ସାଧାରଣ ସଂପାଦକ, ୬୧ଜଣ ସଂପାଦକ ୬୭ଜଣ ପରିଚାଳନା କମିଟି ଓ ୨୭ଜଣଙ୍କୁ ଗଣମାଧ୍ୟମ ସେଲ୍ ପଦାଧିକାରୀଙ୍କ ନାମ ଗତକାଲି ଘୋଷଣା କରାଯାଇଛି।
Comments are closed.