Latest Odisha News

ପଶ୍ଚିମବଙ୍ଗରେ ତେଜିଲା ବିଭାଜନ ରାଜନୀତି

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ତେଜିଲା ବିଭାଜନ ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଶାସକ ଟିଏମସି ଓ ମୁଖ୍ୟ ବିରୋଧୀ ଦଳ ବିଜେପି । ରାଜ୍ୟ ବିଜେପି ମଧ୍ୟରୁ ଉଠିଛି ପଶ୍ଚିମବଙ୍ଗ ବିଭାଜନର ସ୍ୱର । ରାଜ୍ୟ ବିଜେପିର କିଛି ନେତା ପଶ୍ଚିମବଙ୍ଗକୁ ଜାମ୍ମୁ ଓ କାଶ୍ମୀର ଶୈଳୀରେ ବିଭାଜନ ସପକ୍ଷରେ ମତ ଦେଇଥିବା ଜଣାପଡିଛି । ବିଜେପି ଔପଚାରିକ ଭାବେ କିଛି କହିନାହିଁ । କିନ୍ତୁ ବଙ୍ଗ ବିଭାଜନ ପ୍ରସ୍ତାବକୁ ବିରୋଧ ବି କରିନାହିଁ ଗୈରିକ ଦଳ । ପଶ୍ଚିମବଙ୍ଗର ଉତ୍ତର ଭାଗରେ ସିକିମ ସୀମାକୁ ଲାଗିଥିବା ୮ଟି ଜିଲ୍ଲାକୁ ପୂର୍ବ –ଉତ୍ତର ଭାରତରେ ସାମିଲ କରିବାକୁ ଉଠିଛି ଦାବି । କେନ୍ଦ୍ର ମନ୍ତ୍ରୀ ଥିବା ରାଜ୍ୟର ବିଜେପି ସାଂସଦ ସୁକାନ୍ତ ମଜୁମଦାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏ ପ୍ରସଙ୍ଗ ଉଠାଇଛନ୍ତି । ଉତ୍ତର ପଶ୍ଚିମବଙ୍ଗର ୮ଟି ଜିଲ୍ଲାକୁ କାହିଁକି ପୂର୍ବୋତ୍ତରରେ ସାମିଲ କରାଯିବ ଓ ଦୁଇ ଅଂଚଳର ଲୋକଙ୍କ ମଧ୍ୟରେ କଣ ସବୁ ସମାନତା ରହିଛି ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି ସୁକାନ୍ତ ମଜୁମଦାର । ପୂର୍ବୋତ୍ତରରେ ସାମିଲ ହେଲେ ୮ଟି ପଛୁଆ ଜିଲ୍ଲାକୁ ଅଧିକ ବିକାଶ ପାଣ୍ଠି ମିଳିବ । ଏଥିପାଇଁ ମମତା ବାନାର୍ଜୀ ସରକାର ସହଯୋଗ କରିବା ଦରକାର ବୋଲି ମଜୁମଦାର କହିଛନ୍ତି । ସୁକାନ୍ତ ମଜୁମଦାର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୂର୍ବୋତ୍ତର ବିକାଶ ସଂପର୍କିତ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଓ ରାଜ୍ୟ ବିଜେପିର ଅଧ୍ୟକ୍ଷ ଅଛନ୍ତି । ଏ ଦୃଷ୍ଟିରୁ ମଜୁମଦାରଙ୍କ ପୃଥକତ୍ତଉତ୍ତର ବଙ୍ଗ ଦାବି ରାଜନୀତିକୁ ସରଗରମ କରିଛି ।

ବିଜେପିର ଉତ୍ତର ବଙ୍ଗ ରାଜନୀତିରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଟିଏମସି । ରାଜ୍ୟର ବିଭାଜନ ପ୍ରସ୍ତାବ ସମ୍ବିଧାନ ବିରୋଧୀ ବୋଲି କହିଛି ଦଳ । ଉତ୍ତର ବଂଗର ୮ଟି ଜିଲ୍ଲା ରାଜ୍ୟର ଅଭିନ୍ନ ଅଂଗ । ଲୋକସଭା ନିର୍ବାଚନରେ ଟିଏମସିକୁ ହରାଇବାରେ ବିଫଳ ହେଲା ପରେ ଶସ୍ତା ରାଜନୀତିକୁ ଓହ୍ଲାଇ ଆସିଛି ବିଜେପି । ରାଜ୍ୟ ବିଭାଜନ ପାଇଁ ବିଜେପି ଷଡଯନ୍ତ୍ର କରୁଛି ବୋଲି ଟିଏମସିର ବରିଷ୍ଠ ସାଂସଦ ସୁଖେନ୍ଦୁ ରାୟ କହିଛନ୍ତି ।

ରାଜ୍ୟ ବିଜେପିର ଆଉ ଜଣେ ସାଂସଦ ଉତ୍ତର ବଙ୍ଗର ଏକ ଅଂଶକୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା ପାଇଁ ଦାବି ଉଠାଇଛନ୍ତି, ଯାହାର କି କଡା ବିରୋଧ କରିଛି ଟିଏମସି । ବିଜେପି ସାଂସଦ ଅନନ୍ତ ମହାରାଜ ଗ୍ରେଟର କୁଚବେହାର ପାଇଁ ଦାବି ଉଠାଇଛନ୍ତି । ୨୦୧୫ରୁ ଗ୍ରେଟର କୁଚବେହାର ଦାବି ହୋଇଆସୁଛି ।

ରାଜନୀତି ବିଶେଷଜ୍ଞଙ୍କ ମତରେ ଉତ୍ତର ବଂଗରେ ବିଜେପିର ସ୍ଥିତି ମଜବୁତ୍ ରହିିଛି । ଉତ୍ତର ବଂଗର ୮ଟି ଜିଲ୍ଲାକୁ ମମତା ବାନାର୍ଜୀ ସରକାର ଉପେକ୍ଷା କରିଛି ବୋଲି ଅଭିଯୋଗ କରିଛି ବିଜେପି । ଉତ୍ତର ବଙ୍ଗକୁ ଅଣଦେଖା କରାଯାଉଛି ବୋଲି ବିଜେପିର ଅଭିଯୋଗ । ଉତ୍ତର ବଙ୍ଗ ପ୍ରସଙ୍ଗ ବିଜେପିର ନିର୍ବାଚନୀ ରଣନୀତିର ଏକ ଅଂଶ ବୋଲି ରାଜନୀତି ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା ହେଉଛି ।

Comments are closed.