Latest Odisha News

ମୁଖ୍ୟମନ୍ତ୍ରୀ ଦୌଡ଼ରେ ରାଜକୁମାରୀ ଦିିୟା

ଜୟପୁର: ରାଜସ୍ଥାନର ୧୯୯ ଆସନ ବିଶିଷ୍ଟ ବିଧାନସଭାରେ ୧୧୨ଟି ଆସନରେ ବିଜେପି ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଦଳ ଏଯାବତ୍ ମୁଖ୍ୟମନ୍ତ୍ରୀ ରୂପେ କାହାକୁ ଚୟନ କରିନାହିଁ କିମ୍ବା ଏନେଇ କୌଣସି ଘୋଷଣା ମଧ୍ୟ କରିନାହିଁ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଅନେକଙ୍କ ନାମ ଚର୍ଚ୍ଚାରେ ରହିଛି । ଯେଉଁ ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୀର୍ଷରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୂର୍ବତନ ଜୟପୁର ରାଜପରିବାରର ସଦସ୍ୟ ରାଜକୁମାରୀ ଦିୟା କୁମାରୀ ।

ସେ ଜୟପୁର ରାଜ୍ୟର ଶେଷ ଶାସକ ମହାରାଜା ମାନ ସିଂହ ଦ୍ୱିତୀୟଙ୍କ ନାତୁଣୀ । ଜୟପୁରର ଝିଅ ଏବଂ ରାଜକୁମାରୀ ଭାବେ ସେ ଦଳ ପାଇଁ ଭୋଟ ମାଗୁଥିଲେ । ଐତିହ୍ୟ ସଂପନ୍ନ ପରିବାର ହୋଇ ମଧ୍ୟ ତାଙ୍କର ସାଦାସିଧା ବ୍ୟକ୍ତିତ୍ୱ ତାଙ୍କୁ ରାଜସ୍ଥାନବାସୀଙ୍କ ମଧ୍ୟରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱରେ ପରିଣତ କରିଛି । ୨୦୧୩ରେ ବିଜେପିରେ ଯୋଗ ଦେଇଥିଲେ ଦିୟା । ଦିୟା କୁମାରୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦୁଇଟି ଯାକ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ୨୦୧୩ ମସିହାରେ ସୱାଇ ମାଧୋପୁର ନିର୍ବାଚନ ମଣ୍ଡଳୀରୁ ରାଜସ୍ଥାନ ବିଧାନସଭାର ନିର୍ବାଚିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସେ ରାଜସମନ୍ଦ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ୫୨ ବର୍ଷୀୟା ଏହି ରାଜକୁମାରୀ ଜଣେ ରାଜନେତା ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୯ରେ ସେ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣର ସଦସ୍ୟ ଭାବରେ କାର୍ଯ୍ୟ କରିବାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।

ଚଳିତ ବିଧାନସଭା ନିର୍ବାଚନରେ ଜୟପୁରର ବିଦ୍ୟାନଗର ପୂର୍ବରୁ ନିର୍ବାଚନ ଲଢି ବିଜୟୀ ହୋଇଥିବା ଦିୟାଙ୍କୁ ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେଙ୍କ ସହ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ବିକଳ୍ପ ଭାବରେ ଦେଖିବାକୁ ମିଳୁଛି । ସେ କହିଥିଲେ, ବିଜେପି ଲୋକଙ୍କ ପାଇଁ କାମ କରୁଛି ବୋଲି ଜନସାଧାରଣ ଜାଣନ୍ତି । ସେମାନେ ଏପରି ସରକାର ଚାହୁଁଛନ୍ତି ଯିଏ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବ, ଯୁବକମାନଙ୍କୁ ଚାକିରି ଦେବ ଏବଂ କୃଷକମାନଙ୍କ ସହିତ ଭଲ ବ୍ୟବହାର କରିବ ବୋଲି ଦିୟା କହିଛନ୍ତି । ସେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ବୋଲି ପଚରାଯିବାରୁ ଦିୟା କୁମାରୀ କହିଛନ୍ତି, ଏ ପ୍ରଶ୍ନର ମୋ ପାଖରେ ନାହିଁ । କାରଣ, ଏପ୍ରସଙ୍ଗରେ ବିଜେପି ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେବେ ତାହା ମୋ ପାଇଁ ଚୂଡ଼ାନ୍ତ ।

Comments are closed.