Latest Odisha News

ଛୋଟ ଅପରାଧ କରି ଜେଲରେ ଫସିଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା କରିବାକୁ ଆହ୍ୱାନ କଲେ ମହାମହିମ

ଜେଲ୍ ସଂଖ୍ୟା ବଢିବା ବିକାଶର ମାପକାଠି ନୁହେଁ: ମହାମହିମ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି। ଯେଉଁଥିରେ ଜେଲରେ ଥିବା ବନ୍ଦୀଙ୍କ ଅଧିକାର ବାବଦରେ ଗୁରୁତ୍ୱ ଦେଇଛନ୍ତି। ଛୋଟ ମୋଟ ଅପରାଧ କରି ଅନେକ ଏବେ ଜେଲରେ ରହିଛନ୍ତି। ସେମାନେ କିନ୍ତୁ ଆଇନକୁ ଠିକ୍ ସେ ଜାଣି ନାହାନ୍ତି ଏବଂ ନିଜର ଅଧିକାର ଏବଂ କର୍ତ୍ତବ୍ୟ ବାବଦରେ ଅବଗତ ନାହାନ୍ତି। ତେଣୁ ଏହିପରି କଏଦୀଙ୍କୁ କିଭଳି ଶୀଘ୍ର ଜେଲରୁ ବାହାରି ପାରିବେ ସେ ଦିଗରେ ଗୁରୁତ୍ବ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଦ୍ୱାରା ଆୟୋଜିତ ‘ସମ୍ବିଧାନ ଦିବସ’ର ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ଏହି ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଆପଣ ମାନେ ସେହି ଲୋକଙ୍କ ବାବଦରେ ଚିନ୍ତା କରିବା ଦରକାର ଯେଉଁମାନେ ଦୀର୍ଘ ବର୍ଷ ହେବ ଜେଲର ଚାରି କାନ୍ଥ ଭିତରେ ରହିଛନ୍ତି।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ, ଏଭଳି କଏଦୀମାନେ ଚାପୁଡ଼ା ମାରିବା ଭଳି ଛୋଟ ଛୋଟ ଅପରାଧରେ ଜେଲରେ ଦଣ୍ଡ ଭୋଗୁଛନ୍ତି। ଅନେକ ଲୋକ ଯେଉଁମାନେ ଅନ୍ୟମାନଙ୍କ ଜୀବନ ନେଇଛନ୍ତି ସେମାନେ ମୁକ୍ତ ଭାବେ ବୁଲୁଛନ୍ତି କିନ୍ତୁ ଯେଉଁମାନେ ଛୋଟ ଅପରାଧ କରି ବିଭିନ୍ନ ଦଫା ଲାଗିବା ପରେ ଜେଲରେ ଅଛନ୍ତି।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଜେଲ୍ ସଂଖ୍ୟା ବୃଦ୍ଧି କରିବା ବିକାଶର ମାପକାଠି ନୁହେଁ। ଏହା ବଦଳରେ ଆମେ ଆତ୍ମସମୀକ୍ଷା କରିବା ଉଚିତ ଯେ ଜେଲ କାହିଁକି ରହିବା ଉଚିତ। ସେ କହିଛନ୍ତି ଯେ ଅଦାଲତ ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ହୋଇଥାଏ ଏବଂ ତେଣୁ ଲୋକମାନଙ୍କ ବିଷୟରେ ଚିନ୍ତା କରିବା ଆବଶ୍ୟକ।

ଏହି ଅବସରରେ ସେ ନିଜ ଜନ୍ମମାଟିର କଥା ମନେ ପକାଇଥିଲେ। ପିଲାଦିନ ବିଷୟରେ ସେ କହିବାକୁ ଯାଇ ରାଷ୍ଟ୍ରପତି ମୁର୍ମୁ ଭାବପ୍ରବଣ ହୋଇଯାଇଥିଲେ। ସେ କହିଥିଲେ ତାଙ୍କ ଗାଁର ଲୋକମାନେ ଶିକ୍ଷକ, ଡାକ୍ତର ଏବଂ ଓକିଲଙ୍କୁ ବହୁତ ସମ୍ମାନ ଦିଅନ୍ତି। ଶିକ୍ଷକ ସିନା ଶିକ୍ଷିତ କରାଏ କିନ୍ତୁ ଡାକ୍ତର ରୋଗୀ ସେବା କରି ଜୀବନ ବଞ୍ଚାଉଥିବା ବେଳେ ଓକିଲମାନେ ଅନେକ ଲୋକଙ୍କୁ ବାଟ ଦେଖାଇ ସମସ୍ୟାର ସମାଧାନ କରନ୍ତି।

ସେ କହିଛନ୍ତି ଯେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ତାଙ୍କୁ ଛୋଟ ଛୋଟ ଅପରାଧ ପାଇଁ ଜେଲରେ ଥିବା ଲୋକଙ୍କ ପାଇଁ କାମ କରିବାର ସୁଯୋଗ ମିଳିଥିଲା। ଏହି ଅବସରରେ ସେ ଝାଡଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡିଏନ ପଟେଲ ଏବଂ ଝାଡଖଣ୍ଡ ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପ୍ରଦୀପ କୁମାର ମହାନ୍ତିଙ୍କ ଅବଦାନକୁ ପ୍ରଶଂସା କରିଥିଲେ।

ଦେଶରେ ବିଧାନସଭା, କାର୍ଯ୍ୟପାଳିକା, ନ୍ୟାୟପାଳିକା ‘ଗୋଟିଏ ଚିନ୍ତାଧାରା’ରେ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Comments are closed.