Latest Odisha News

BREAKING NEWS

ଚିକିତ୍ସା ନାଁରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଡାକ୍ତର ଗିରଫ

ବାରିପଦା: ଜଣେ ଡାକ୍ତର ଚିକିତ୍ସା ସମୟରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଅଡୁଆରେ ପଡ଼ିଛନ୍ତି। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଶିଶୁ ଓ୍ୱାର୍ଡରେ ସୋମବାର ରାତିରେ ଚିକିତ୍ସିତ ହେବାକୁ ଆସିଥିବା ଜଣେ ନାବାଳିକାଙ୍କୁ ସେଠାରେ ନିୟୋଜିତ ଶିଶୁ ରୋଗ ବିଶେଷଜ୍ଞ ଅସଦାଚରଣ କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଡାକ୍ତର ସୌରଭ ଉପାଧ୍ୟାୟ ନାବାଳିକା ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ଆଣି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଡାକ୍ତର ନାବାଳିକାଙ୍କ ପରିବାର ଓ ତାଙ୍କ ସହ ଆସୁଥିବା ଅନ୍ୟ ଲୋକଙ୍କୁ ବାହାରେ ଅପେକ୍ଷା କରିବାକୁ କହିବା ସହ ରୋଗ ଚିହ୍ନଟ କରିବା ପାଇଁ ତାଙ୍କୁ ଚାମ୍ବର ଭିତରକୁ ନେଇଯାଇଥିଲେ। ପରେ ଡାକ୍ତର ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ନାବାଳିକା ଜଣକ ନିଜ ମା’, ହଷ୍ଟେଲ ଓ୍ୱାର୍ଡେନ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ସବୁ କଥା କହିବା ପରେ ଘଟଣା ପଦାକୁ ଆସିଥିଲା। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପରିବାର ଲୋକେ ଓ ଅନ୍ୟମାନେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ନିଶାସକ୍ତ ଅବସ୍ଥାରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ସେପଟେ ସମ୍ପୃକ୍ତ ଡାକ୍ତର ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ମୁଁ ଅନ୍ୟମାନଙ୍କୁ ବାହାରେ ଅପେକ୍ଷା କରିବାକୁ କହିଥିଲି ଏବଂ ପରେ ସେମାନେ ଏହାକୁ ପ୍ରସଙ୍ଗ କରିଥିଲେ। ମୁଁ ଜଣେ ଡାକ୍ତର ଏବଂ ମୁଁ କୌଣସି ଭୁଲ୍ କରିନାହିଁ। ଏ ନେଇ ପୁଲିସ ତଦନ୍ତ କରିବା ଦରକାର ବୋଲି ସେ କହିଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଡାକ୍ତରଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ (ଏ) ଏବଂ ପୋକ୍ସୋ ଆଇନର ଧାରା ୧୨ ଏବଂ ଏସସି, ଏସଟି ଆଇନର ଧାରା ୩ ଡବ୍ଲ୍ୟୁ ଅଧୀନରେ ମାମଲା ରୁଜୁ ହୋଇଛି।

Comments are closed.