Latest Odisha News

ଭିନ୍ନକ୍ଷମ କୁନିଝିଅକୁ ଡାକ୍ତର ଦେଲେ ନୂଆ ଜୀବନ; ଭିଡିଓ ଦେଖିଲେ ଆଖି ଓଦା ହୋଇଯିବ

ନୂଆଦିଲ୍ଲୀ: ଥିରି ଥିରି ଚାଲୁଛି କୁନି ଝିଅ । ଉଠରେ ହସ ଫୁଟି ବାହାରି ଆସୁଛି । ସେ ଖୁସିର ଝଲକ ଆଖିରେ ବି  ବାରି ହୋଇ ପଡ଼ୁଛି । ଝିଅ ଓଠର ହସ ଆଉ ଆଖିର ଚମକ ଦେଖି ଆଖି ଓଦା ହୋଇଯାଇଛି ମା’ର । ମା’ର ହାତ ଧରି ଝିଅ ଏମିତି ଚାଲିବ ହୁଏତ ମା’ ମନରେ ନ ଥିଲା । ଆଜି ସେ ଦୃଶ୍ୟ ଦେଖି ମନ ତାର ପୂରି ଯାଉଛି । ଡାକ୍ତରଙ୍କ ପ୍ରତି କୃତଜ୍ଞତାରେ ଭରିଯାଉଛି ମନ । ଏ ଦୃଶ୍ୟ ଯେତିକି ମନମୁଗ୍ଧକର ସେତିକି ବେଦନାଦାୟୀ ।

ଭଲକରି  ଦେଖନ୍ତୁ ଭିଡିଓଟକୁ । ଭିଡଓରେ ଠୁକୁ ଠୁକୁ ହୋଇ ଚାଲୁଥିବା ଏଇ ନିରୀହ କୁନି ଝିଅଟିକୁ । ତାର ନିଷ୍କପଟ ଆଖିରେ ଦିନେ ଥିଲା ଅନେକ ପ୍ରଶ୍ନ । ସମସ୍ତେ ଚାଲୁଛି, ମୁଁ କାହିଁକି ଚାଲିପାରୁନି ? ସେ ପ୍ରଶ୍ନର ଉତ୍ତର ଯେମିତି ତାକୁ ମିଳିଯାଇଛି । ସେ ଟିକିଏ ତାର ପାଦକୁ ଚାହୁଁଛି, ଟିକିଏ ଡାକ୍ତରଙ୍କୁ ଚାହୁଁଛି  ଆଉ ମନ ଖୁସିରେ ଚାଲିବାକୁ ଚେଷ୍ଟା କରୁଛି । କୌଣସି କାରଣରୁ ଏଇ କୁନି ଝିଅଟିର ପାଦ କଟି ଯାଇଛି । କୁନି ଝିଅଟି ଚାଲି ପାରୁନି । ହେଲେ ଡାକ୍ତରଙ୍କ ଉଦ୍ୟମ ତାକୁ ନୂଆ ଜୀବନ ଦେଇଛି ।

ଇନଷ୍ଟାଗ୍ରାମରେ ‘ଜିନ୍ଦଗୀ ଗୁଲଜାର ହୈ’ ଆକାଉଣ୍ଟରେ ଜୀବନକୁ ନେଇ ଅନେକ ଇମୋଶନାଲ ଭିଡିଓ ସେୟାର ହୋଇଥାଏ । ହେଲେ ଏହି ଭିଡିଓଟି ଆପଣଙ୍କ ମନକୁ ଖାଲି ବିହ୍ୱଳ କରି ଦେବନି ବରଂ ଆଖିକୁ ଓଦା କରିଦେବ । ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଡାକ୍ତର କବାଟ ଖୋଲି ଭିତରକୁ ଆସୁଛନ୍ତି । ତାଙ୍କର ଗୋଟିଏ ହାତରେ ବେଲୁନ ଏବଂ ଅନ୍ୟ ହାତରେ ରହିଛି ନକଲି ଗୋଡ । ରୁମ ଭିତରେ ଥିବା କୁନି ଝିଅ ପାଖକୁ ଡାକ୍ତର ଜଣକ ଯାଉଛନ୍ତି । ବେଲୁନକୁ ଦେଖି ଝିଅଟି ତାକୁ ଧରିବାକୁ ଯାଉଛି ଆଉ ଏହି ସମୟରେ ଡାକ୍ତର ତା କଟା ଯାଇଥିବା ପାଦରେ ନକଲି ଗୋଡ ପିନ୍ଧାଇ ଦେଉଛନ୍ତି   । ଝିଅଟି କିଛି କ୍ଷଣ ପାଦକୁ ଚାହୁଁଛି ଆଉ ତା ପରେ ଆସ୍ତେ ଆସ୍ତେ ଚାଲିବା ଆରମ୍ଭ କରୁଛି । ସେ ଚାଲି ପାରିଛି..ସେ ଖୁସି ଯେମିତି ତା ମୁହଁକୁ ଝଲସାଇ ଦେଉଛି । ପରେ ଝିଅଟି ନକଲି ପାଦ ଲଗାଇ ମା’ର ହାତ ଧରି ଚାଲୁଥିବାର ଦେଖିବାକୁ ମିଳିଛି । ମା’ ଝିଅଙ୍କର ଖୁସିର ଏଇ ମୁହୂର୍ତ୍ତକୁ ସତରେ ଭାଷାରେ ରୂପ ଦେବା ସମ୍ଭବ ନୁହେଁ, ଏହା କେବଳ ଅନୁଭବର କଥା ।

ଭିଡିଓଟିକୁ ୨୯ ହଜାରରୁ ଅଧିକ ଲୋକ ଦେଖିଲେଣି । ୟୁଜର୍ସ ଏହାକୁ ଦେଖି ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ନକଲି ଗୋଡ ଦେଉଥିବା ଡାକ୍ତରଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି ।

Leave A Reply

Your email address will not be published.