ଭୁବନେଶ୍ୱର: ରାଜ୍ୟ ସରକାର ଯଦି ଡକ୍ଟର ମାନଙ୍କର ୧୮ ଦଫା ଦାବି ପୂରଣ ନକରନ୍ତି ତାହେଲେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA)ର ସଦସ୍ୟମାନେ ଜାନୁଆରୀ ୨୦୨୬ ରୁ ରାଜ୍ୟବ୍ୟାପୀ ଧର୍ମଘଟ କରିବେ। ଏନେଇ OMSA ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
ରାଜ୍ୟବ୍ୟାପୀ ଡାକ୍ତରମାନେ ନିଜର କାର୍ଯ୍ୟ ବନ୍ଦ ରଖିବା ସହ ଓପିଡିରେ ମଧ୍ୟ ଯୋଗ ଦେବେ ନାହିଁ ବୋଲି ସେ କହିଛନ୍ତି।
ଡାଇନାମିକ୍ ଆସୁର୍ଡ କ୍ୟାରିଅର୍ ପ୍ରୋଗ୍ରେସନ୍ (ଡିଏସିପି) ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ OMSA ତରଫରୁ ଦାବି କରାଯାଇଛି। ତେବେ ଏହା ପୂର୍ବରୁ ଅନ୍ୟ ୧୮ଟି ରାଜ୍ୟରେ ଗ୍ରହଣ କରାଯାଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି। ଗତ ସାତ ବର୍ଷ ଧରି ପଡ଼ି ରହିଥିବା ଡାକ୍ତରୀ କ୍ୟାଡରର ପୁନର୍ଗଠନ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି। ଏଥିସହିତ ଡିଏସିପି ବୃଦ୍ଧି ଏବଂ ରାଜ୍ୟରେ ଦନ୍ତ ଚିକିତ୍ସକମାନଙ୍କୁ ପ୍ରୋତ୍ସାହନ ଦେବାକୁ ଓ ଡିଏସିପି ଅଧୀନରେ ଆଡହକ୍ ଡାକ୍ତରଙ୍କ ଚୁକ୍ତିଭିତ୍ତିକ ଅବଧି ବିଚାର, ଚିକିତ୍ସା ଅଧିକାରୀଙ୍କ ପାଇଁ ସ୍ୱଚ୍ଛ ସ୍ଥାନାନ୍ତର ନୀତି, ସମସ୍ତ ସରକାରୀ ଡାକ୍ତରଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କଭରେଜ ଏବଂ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ମୂଲ୍ୟାଙ୍କନ ରିପୋର୍ଟ ଜାରି କରିବାକୁ ଅନୁମତି ପ୍ରଦାନ କରିବା ଭଳି ଦାବି ଏଥିରେ ଅନ୍ତର୍ଭୁକ୍ତ ରହିଛି।
OMSAକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପୂରଣ କରିନାହାଁନ୍ତି। ଯେଉଁଥିପାଇଁ ଗତ ନଭେମ୍ବର ୨୦ ତାରିଖରୁ ଡାକ୍ତରମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ଆସୁଥିବା ନେଇ ସେ କହିଛନ୍ତି।
Comments are closed.