ନୂଆଦିଲ୍ଲୀ : ଦୁନିଆରେ ଅଜବ ରୀତିନୀତି ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଆପଣ ପଶୁ ବିବାହ ବିଷୟରେ କେବେ ଶୁଣିଛନ୍ତି କି? ଏମିତି ଏକ ଗାଁ ଅଛି ଯେଉଁଠି ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଏକ ନିଆରା ବିବାହର ଆୟୋଜନ କରାଯାଇଥାଏ ।
ଗାଁକୁ ରଙ୍ଗୀନ ଆଲୋକରେ ସଜାଯାଇଥିଲା । ବେଦୀ ବି ଫୁଲରେ ସଜା ଯାଇଥିଲା । କନ୍ୟା ବି ଚିକ୍ମିକ୍ ଡ଼୍ରେସ ପିନ୍ଧି ସଜେଇ ହୋଇଥିଲା । ଭୋଜିଭାତର ବି ଆୟୋଜନ କରାଯାଇଥିଲା । ଛୋଟପିଲାଠାରୁ ଆରମ୍ଭ କରି ସମସ୍ତେ ନୂଆ ଡ଼୍ରେସ ପିନ୍ଧି ସଜେଇ ହୋଇଥିଲେ । ଅପେକ୍ଷା କରିଥିଲେ ବର କେତେବେଳେ ଗାଁକୁ ଆସିବ । ବହୁ ସମୟ ଅପେକ୍ଷା ପରେ ବାଣ ଫୁଟାଇ ନାଚଗୀତରେ ରୋଷଣୀ କରି ବର ସହ ବରଯାତ୍ରୀ ଆସି ପହଞ୍ôଚଲେ । ବରକୁ ରୀତିନୀତି ଅନୁସାରେ ବରଣୀ ବି କରାଗଲା । ପରେ ବ୍ରାହ୍ମଣ ମନ୍ତ୍ରପାଠ ପଡି ରୀତିନୀତି ଅନୁସାରେ ବରକନ୍ୟାଙ୍କ ବିବାହ କଲେ । ଏସବୁ ଭିତରେ ବରକନ୍ୟା ସାଜିଥିବା ଗୋଲୁ ଓ ରଶ୍ମୀ ପ୍ରକୃତରେ ଥିଲେ ଦୁଇଟି କୁକୁର । ଏପରି ଏକ ନିଆରା ବିବାହ ଦେଖିବାକୁ ମିଳିଥିଲା ମଧ୍ୟପ୍ରଦେଶର ନିୱାରୀ ଜିଲ୍ଲା ପୁଚିକରଗୁୱା ଗାଁରେ ।
ଗ୍ରାମବାସୀଙ୍କ କହିବା କଥା ହେଲା, ଗାଁର ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଦୁଇଟି କୁକୁର ଗୋଲୁ ଏବଂ ରଶ୍ମୀ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । କେବଳ ଏତିକି ନୁହେଁ, ୮୦୦ ଲୋକଙ୍କ ପାଇଁ ଭୋଜିଭାତର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଗୋଲୁଙ୍କ ରୋଷଣୀ ଶୋଭାଯାତ୍ରା ଉତ୍ତରପ୍ରଦେଶର ବକୱା ଖୁର୍ଡରୁ ଆସିଥିଲା । ଏଠାରେ ରଶ୍ମିଙ୍କ ମାଲିକ ମଲଚାନ୍ଦ ନାୟକ ବର ସହ ବରଯାତ୍ରୀମାନଙ୍କୁ ସ୍ୱାଗତ କରିବା ପରେ ବିବାହ ହୋଇଥିଲା ।
ଗୋଲୁ ମାଲିକ ଅଶୋକ ଯାଦବ ଏବଂ ରଶ୍ମୀ୍ ମାଲିକ ମଲଚନ୍ଦ୍ର ନାୟକ କହିଛନ୍ତି ଯେ, ଉଭୟଙ୍କ ସହମତିରେ ଏହି ବିବାହ ଆୟୋଜିତ ହୋଇଥିଲା । ଏଥିରେ ଗ୍ରାମବାସୀ ଖୁସିରେ ସାମିଲ ହୋଇଥିଲେ । ଏପରି ନିଆରା ବିବାହ ଆମ ଗାଁରେ ବହୁ ବର୍ଷ ପୂର୍ବରୁ ଆୟୋଜିତ ହୋଇଆସୁଛି । ଏପରି ବିବାହ ଦ୍ୱାରା ଗ୍ରାମରେ ଉନ୍ନତି ହେବା ସହ ସୁଖ,ଶାନ୍ତି ବଜାୟ ରହିଥାଏ ବୋଲି ଏଠାକାର ଲୋକଙ୍କ ବିଶ୍ୱାସ ରହିଛି । ଏଥିରେ ଗ୍ରାମବାସୀ ଯେଉଁ ମାନସିକ ରଖନ୍ତି ତାହା ମଧ୍ୟ ପୂରଣ ହୋଇଥାଏ ।
ଏହି ଗାଁରେ ଏବେ ମୁଖ୍ୟ ସମସ୍ୟା ପାଲଟିଛି ପାନୀୟ ଜଳ । ପାଣି ପାଇଁ ମହିଳାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଅପେକ୍ଷା କରିବାକୁ ପଡ଼ୁଛି । ତେଣୁ ଇନ୍ଦ୍ରଦେବତାଙ୍କୁ ଖୁସି କରିବା ଓ ଆମ ଗାଁରେ ପାଣି ସମସ୍ୟା ଦୂର କରିବା ପାଇଁ ଏଥର ଏହି କୁକୁର ବିବାହ କରାଯାଇଥିଲା, ଯାହାଦ୍ୱାରା ଭଗବାନ ପ୍ରସନ୍ନ ହୋଇ ଗାଁର ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ଗ୍ରାମବାସୀ କହିଛନ୍ତି ।
Comments are closed.