Latest Odisha News

ଶ୍ରଦ୍ଧା ଓ ଭାବର ପର୍ବ ଦୋଳ; ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ଦୋଳ ପୂର୍ଣ୍ଣିମା । ସ୍ନେହ, ପ୍ରେମ ଓ ଭାଇଚାରାର ପର୍ବ । ଓଡ଼ିଶାର ପୂର ପଲ୍ଲୀରେ ସଦ୍‌ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ।ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ।  ବସନ୍ତକୁ ସ୍ୱାଗତ ଜଣାଇ ଆସିଥାଏ ଦୋଳପର୍ବ ।

ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ପାଳନ କରାଯାଏ । ଆଉ କେଉଁଠି କେବଳ ପୂର୍ଣ୍ଣିମା ଦିନକୁ ଧୂମଧାମରେ ପାଳନ କରାଯାଇଥାଏ।  କେତେକ ସ୍ଥାନରେ ୭ଦିନ ଓ ୧୦ଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି।

ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ  ମନ୍ଦିରରୁ ବାହାରିଥାନ୍ତି । ଗାଁ ଗାଁ ସାହି ସାହି ବୁଲିଥାନ୍ତି । ଘରକୁ ଘର ବୁଲି ଭୋଗ ଖାଇଥାନ୍ତି । ଏହି ଦିନଠାରୁ ଠାକୁରଙ୍କ ପାଖରେ ଅବିର ଅର୍ପଣ କରାଯାଏ।   ଦୋଳପୂର୍ଣ୍ଣମୀ ଦିନ ଠାକୁରମାନଙ୍କୁ ଦୋଳ ବେଦୀ ବା ଦୋଳମଣ୍ଡପ ଉପରକୁ ନିଆଯାଇଥାଏ।  ସେଠାରେ ପୂଜାର୍ଚ୍ଚନା କରାଯିବା ସହ ଠାକୁରମାନେ ଦୋଳି ଖେଳନ୍ତି । ଫୁଲପତ୍ର, କଷି ଆମ୍ବରେ ଠାକୁରଙ୍କୁ ସଜାଯାଇଥାଏ । ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ।

ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହରେ ଝୁମି ଉଠେ। ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ ହେଉ କି ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳ ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ।

ଦୋଳ ଯାତ୍ରାକୁ ନେଇ ବିଭିନ୍ନ କାହାଣୀ ରହିଛି ।  ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ କାହାଣୀ ରହିଥିବା ବେଳେ ଅନ୍ୟପଟେ ହୋଲିକା ଦହନ କଥା ମଧ୍ୟ ରହିଛି। ଆଉ କେତେକ ସ୍ଥାନରେ ଦୋଳ ପର୍ମ ସହ ମେର୍ଦ୍ଧାସୁରର କାହାଣୀ ଯୋଡି ହୋଇ ରହିଛି ।  କୁହାଯାଏ, ଏହି ସମୟରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରକୁ ଭଗବାନ ହତ୍ୟା କରି  ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିଲେ ।  ସେଥିପାଇଁ ଏହିପର୍ବ ଆୟୋଜିତ ହୋଇଥିଲା।

ଯାହା ବି ହେଉ, ଆଜି ଦୋଳ ପୂର୍ଣ୍ଣମୀ ପାଇଁ ଓଡ଼ିଶାର ପୁର ପଲ୍ଲୀ ଉତ୍ସବ ମୁଖର ହୋଇଥିବାବେଳେ ଆସନ୍ତାକାଲି ରହିଛି ହୋଲି ଖେଳ । ବଜାରରେ ବସିଛି ରଙ୍ଗର ପସରା । ଏଥର ରାସାୟନିକ ରଙ୍ଗ ଉପରେ କଟକଣା ଲାଗିଛି । ତେଣୁ ସବୁଠାରେ ହର୍ବାଲ ରଙ୍ଗର ପସରା ଜମିଛି ।

 

Comments are closed.