କେନ୍ଦ୍ରାପଡା: ଜାନୁୟାରୀ ୧୯ରେ କରାଯାଇଥିବା ଜନଗଣନା ଅନୁସାରେ, ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଥିବା ଗହୀରମଥା ଅଭୟାରଣ୍ୟ ଓ ଆଖପାଖ ଅଂଚଳରେ ଡଲଫିନଙ୍କ ସଂଖ୍ୟା ହ୍ରାସ ପାଉଛି । ଚଳିତ ବର୍ଷ ବନ ଅଧିକାରୀ କେବଳ ୬୨ଟି ଡଲଫିନର ଗଣନା କରିଛନ୍ତି । ୨୦୧୮ ଓ ୨୦୧୯ ମସିହାରେ ଡଲଫିନଙ୍କ ସଂଖ୍ୟା ଯଥାକ୍ରମେ ୩୦୭ ଓ ୧୨୬ ଥିଲା ।
ଉପ ବନ ସଂରକ୍ଷକ(ବନ୍ୟଜୀବ ପରିଚାଳନା) ପ୍ରଦୀପ କୁମାର ସାହୁଙ୍କ ଦିନିକିଆ ଗଣନା ସମୟରେ ଗହୀରମଥାରେ ୬୦ଟି ଇରାୱାଡି ଓ କେବଳ ୨ଟି ବୋଟଲ-ନୋଜ୍ ଡଲଫିନ ଦେଖିଥିଲେ । ଯେବେକି ଗତବର୍ଷ ୧୪ଟି ଇରାୱାଡି, ଅନେକ ବୋଟଲ-ନୋଜ୍ ଓ ୯୮ଟି ହମ୍ପବ୍ୟାକ ଡଲଫିନର ଗଣନା କରାଯାଇଥିଲା ।
ଚିଲିକା ହ୍ରଦ ଓ ଓଡିଶାର ଅନ୍ୟ ଜଳାଶୟ ଗୁଡିକରେ ଇରାୱାଡି ଡଲଫିନର ସଂଖ୍ୟା ବଢ଼ିଛି । ଚିଲିକାରେ ୧୪୬ଟି ଇରାୱାଡି ଓ ୧୭ଟି ବୋଟଲ-ନୋଜ୍ ଦେଖିବାକୁ ମିଳିଥିଲା । ଗତବର୍ଷ ଚିଲିକାରେ ୧୩୦ଟି ଇରାୱାଡି ଡଲଫିନର ଗଣନା କରାଯାଇଥିଲା । ପୁରୀର ଜଳାଶୟରେ ୨ଟି ଇରାୱାଡି ଓ ୫ଟି ବୋଟଲ-ନୋଜ ଡଲଫିନର ଗଣନା କରାଯାଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ କେବଳ ଗୋଟିଏ ବୋଟଲ-ନୋଜ ଡଲଫିନ ମିଳିଥିଲା ।
ବନ ଅଧିକାରୀ ୨୦୧୫ ମସିହାରେ ଗହୀରମଥାରେ ପ୍ରଥମ ଥର ଡଲଫିନ ଗଣନାର ଆୟୋଜନ କରିଥିଲେ । ଗଣନା ସମୟରେ ଗହୀରମଥାରେ ୫୮ଟି ଇରାୱାଡି, ୨୩ଟି ବୋଟଲ-ନୋଜ୍, ୧୨୩ଟି ସୋସା ଚିନେନ୍ସିସ୍, ୫୦ଟି ସୋସା ପ୍ଲମ୍ବର, ୧୫ଟି ପାନଟ୍ରୋପିକାଲ ଓ ୧ ଫିନଲେସ ପର୍ପୋଇଜ ସହିତ ଡଲଫିନର ଗଣନା କରାଯାଇଥିଲା । ୨୦୧୬ ଓ ୨୦୧୭ ମସିହାରେ ପାଣିପାଗ ଖରାପ ଥିବାରୁ ଗଣନା ହୋଇପାରିନଥିଲା ।
Comments are closed.