Latest Odisha News

BREAKING NEWS

ବଢୁଛି ଟ୍ରମ୍ପଙ୍କ ଅଡୁଆ; ହୋଇପାରେ ୧୩୬ ବର୍ଷ ଜେଲ

ନ୍ୟୁୟର୍କ:ବଢୁଛି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ଗିରଫ ହୋଇ ଜାମିନରେ ଆସିଥିଲେ ବି ବିପଦ ଟଳିନି । ଗୋଟିଏ ପରେ ଗୋଟିଏ ଅଭିଯୋଗରେ ଛନ୍ଦି ହୋଇପଡୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖାଲି ପର୍ଣ୍ଣ ଷ୍ଟାରଙ୍କ ମୁହଁ ବନ୍ଦ ରଖିବା ମାମଲା ନୁହେଁ,  ଟ୍ରମ୍ପଙ୍କ ବିରୋଧରେ ପଛକୁ ପଛ ଯୋଡି ହୋଇଛି ୩୪ଟି ସଙ୍ଗୀନ ମାମଲା । ଏହି ସବୁ ମାମଲାର ଶୁଣାଣି ମଙ୍ଗଳବାର ମ୍ୟାନହଟ୍ଟନ କୋର୍ଟରେ ହୋଇଥିଲା । ଅବଶ୍ୟ ଟ୍ରମ୍ପ କହି ଆସୁଛନ୍ତି ସେ ନିର୍ଦ୍ଦୋଷ ବୋଲି । ତାଙ୍କୁ ଜାଣିଶୁଣି ଫସାବାକୁ ଚେଷ୍ଟା କରାଯାଉଛି । ୨୦୨୪ ନିର୍ବାଚନରେ ସେ ଯେମିତି ଭାଗ ନେଇ ପାରିବେ ନାହିଁ ସେଥିପାଇଁ ତାଙ୍କ ବିରୋଧରେ ଏପରି ଷଡଯନ୍ତ୍ର କରାଯାଉଛି ।

ଟ୍ରମ୍ପକୁ କୋର୍ଟ ପକ୍ଷରୁ ଚେତାବନୀ ଦିଆଯାଇଛି, ସେ ସୋସିଆଲ ମିଡିଆରେ କିଛି ବି କହିପାରିବେନି । କୋର୍ଟ କହିଛନ୍ତି, ଯଦି ଟ୍ରମ୍ପ ନିୟମ ଭାଙ୍ଗିବେ, ତେବେ ସର୍ବସାଧାରଣରେ କିଛି ଲେଖିବା-କହିବା ଉପରେ ପ୍ରତିବନ୍ଧକ ଲାଗୁ କରାଯିବ ।  ଅବଶ୍ୟ ଏହାକୁ ନେଇ ଟ୍ରମ୍ପଙ୍କ ସମର୍ଥକ ସ୍ୱର ଉଠାଇଛନ୍ତି  ।

ତେବେ ନ୍ୟୁୟର୍କ ଜିଲ୍ଲା ଆଟର୍ଣ୍ଣି ବ୍ରେଗ କୋର୍ଟ ଶୁଣାଣି ପରେ କହିଛନ୍ତି, ଏହି ମାମଲା ଟ୍ରମ୍ପଙ୍କ ୩୪ଟି ମିଛ ମାମଲାକୁ ନେଇ ହୋଇଛି । ଯଦି କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ମାନୁଛି ତେବେ ତାଙ୍କୁ ୧୩୬ ବର୍ଷ ଜେଲ ହୋଇପାରେ । କାରଣ ସବୁ ଅପରାଧର ସଜାକୁ ମିଶାଇଲେ ୧୩୬ ବର୍ଷ ଜେଲ ହେବାକଥା ।

ତେବେ ଟ୍ରମ୍ପଙ୍କ ବିରୋଧରେ ରହିଛି କି ଅଭିଯୋଗ ? ପ୍ରଥମତଃ ୨୦୧୬ରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲଙ୍କ ସହ ରାତି କଟାଇବା ପରେ ତାଙ୍କ ମୁହଁ ବନ୍ଦ ରଖିବା ପାଇଁ ୧.୩ ଲକ୍ଷ ଡଲାର ଦେବାର ଅଭିଯୋଗ ରହିଛି । ଏହାବ୍ୟତୀତ ପୂର୍ବତନ ପ୍ଲେବୟ ମଡେଲ କରେନ ମ୍ୟେକଡାଗଲଙ୍କୁ ନେଗେଟିଭ ରିପୋର୍ଟ ନ ଛାପିବା ପାଇଁ ୧.୫ ଲକ୍ଷ ଡଲାର ଦେବାର ଅଭିଯୋଗ ରହିଛି ।

ଯାହା ବି ହେଉ, ଜଣେ ରାଷ୍ଟ୍ରପତିଙ୍କୁ ଗିରଫ କରିବା ଆମେରିକା ଇତିହାସରେ ପ୍ରଥମ  । କୋର୍ଟ ଶୁଣାଣି ପରେ ଟ୍ରମ୍ପ ଅଧଘଣ୍ଟାଏ ଧରି ଫ୍ଲୋରିଡା ସ୍ଥିତ ନିଜ ଘରେ ଏକ ଭାଷଣ ଦେଇଥିଲେ ।ଏଥିରେ ସେ କହିଥିଲେ, ମୁଁ ନିର୍ଦ୍ଦୋଷ । ମୋର ଅପରାଧ ଏତିକି ଯେ, ମୁଁ ସେହି ଲୋକମାନଙ୍କଠାରୁ ଦେଶକୁ ରକ୍ଷା କରିବା ପାଇଁ ପ୍ରତିବଦ୍ଧ ।

Leave A Reply

Your email address will not be published.