ରାୟଗଡା:ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ୯ଟି ଦାନହୁଣ୍ଡି ଅର୍ଥ ଗଣତି ଶେଷ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସରିଲା ରାୟଗଡାର ଅଧିଷ୍ଠାତ୍ରୀ ମା ମଝିଘରିଆଣୀଙ୍କ ଦାନହୁଣ୍ଡି ଗଣତି । ଆଜି ଗଣତି କାର୍ଯ୍ୟରେ ବିଭିନ୍ନ ସାମାଜିକ ସଂଗଠନର ମହିଳା ନିୟୋଜିତ ହୋଇଥିଲେ । ମାଙ୍କ ପୂଜାର୍ଚ୍ଚନା ପରେ ୬ମାସ ବ୍ୟବଧାନରେ ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ଗଣତି ହୋଇଥିଲା ।
ଉକ୍ତ ୯ ହୁଣ୍ଡିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ସମେତ ୩୦ ଗ୍ରାମ ସୁନା ଓ ୨୧୫୦ ଗ୍ରାମ ରୂପା ବାହାରିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।
ଏଥିସହିତ ବିଭିନ୍ନ ପ୍ରକାର ୫ ଟି ଦେଶର ୨୩ ଟି ବିଦେଶୀ ନୋଟ ମଧ୍ୟ ବାହାରିଛି। ଯେଉଁଥିରେ ରହିଛି ଆମେରିକା, ଶ୍ରୀଲଙ୍କା ଓ ୟୁଏଇ ଦେଶର ନୋଟ ଓ ମୁଦ୍ରା। ବିଦେଶରେ ରହୁଥିବା ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି।
ଏଥିସହ ଗୋଟିଏ ଲେଖାଏ ଅଚଳ ୫୦୦ ଓ ୨୦୦୦ ଏବଂ ଗୋଟିଏ ୧ ହଜାର ଟଙ୍କା ନୋଟ ବାହାରିଛି।
ଏହା ପୂର୍ବରୁ ଜୁଲାଇ ୭ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ସହିତ ୮୩ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ଦେଶର ବିଦେଶୀ ନୋଟ ମଧ୍ୟ ବାହାରିଥିଲା।