Latest Odisha News

BREAKING NEWS

ମନୁସ୍ମୃତି ପୁସ୍ତକ ଜାଳି ସିଗାରେଟ୍ ଲଗାଇ ବିରୋଧ କଲେ ଆର୍‌ଜେଡି ନେତ୍ରୀ; ଭିଡିଓ ଭାଇରାଲ୍ ପରେ ଜେତିଲା ବିବାଦ

ନୂଆଦିଲ୍ଲୀ: ରାମ ଚରିତ ମାନସ ପରେ ଏବେ ମନୁସ୍ମୃତିକୁ ବିରୋଧ। ମନୁ ସ୍ମୃତି ପୁସ୍ତକକୁ ନିଆଁରେ ଜଳାଇବା ପରେ ସେହି ନିଆଁରୁ ସିଗାରେଟ୍ ଲଗାଇଲେ ବିହାର ରାଷ୍ଟ୍ରୀୟ ଜନତା ଦଳର ମହିଳା ସେଲ୍‌ର ରାଜ୍ୟ ସମ୍ପାଦିକା ପ୍ରିୟା ଦାସ।  ସେ ସିଗାରେଟ୍ ଲଗାଉଥିବାର ଭିଡିଓ ଭାଇରାଲ୍ ହେବା ପରେ ନୂଆ ବିବାଦ ତେଜିଛି। ଭାଇରାଲ୍ ହେଉଥିବା ଭିଡିଓରେ ପ୍ରିୟା ଚୁଲିରେ ଚିକେନ ରାନ୍ଧୁଥିବାର ଦେଖିବାକୁ ମିଳୁଛି। ଏହାପରେ ଚୁଲି ନିଆଁରେ ମନୁସ୍ମୃତି ପୁସ୍ତକକୁ ଜଳାଉଛନ୍ତି। ବହିଟି ଜଳି ଉଠିବା ପରେ ସେହି ବହି ନିଆଁରୁ ପ୍ରିୟା ସିଗାରେଟ୍ ଲଗାଉଛନ୍ତି।

ତେବେ ସେ ଏପରି କାର୍ଯ୍ୟ କାହିଁକି କଲେ ସେ ନେଇ ଏକ ଜାତିୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନୁସ୍ମୃତି ପୁସ୍ତକ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରିୟାଙ୍କ ଅଭିଯୋଗ ଅନୁସାରେ, ଏହି ପୁସ୍ତକରେ ଯଦି ମହିଳା ମଦ୍ୟପାନ କରନ୍ତି ତେବେ ତାଙ୍କୁ ବିଭିନ୍ନ ଉପାୟରେ ଦଣ୍ଡିତ କରାଯିବ। ହେଲେ ତା ପୂର୍ବରୁ ମହିଳାଙ୍କର ଜାତି କଣ ତାହା ଜାଣିବା ନିହାତି ଦରକାର ବୋଲି ଏଥିରେ କୁହାଯାଇଛି।

ପ୍ରିୟା ଆହୁରି କହିଛନ୍ତି ଯେ ମୁଁ ଆମିଷ ଖାଏ ନାହିଁ କି ସିଗାରେଟ ଟାଣେନି। ତେବେ ଏହି ଭିଡିଓ ମାଧ୍ୟମରେ ମୁଁ କେବଳ ମୋର ବିରୋଧ ପ୍ରଦର୍ଶନ କରିଛି ବୋଲି ପ୍ରିୟା କହିଛନ୍ତି। ଦଳିତ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ପ୍ରିୟା ଭାଇରାଲ୍ ହେଉଥିବା ଭିଡିଓରେ କହିଛନ୍ତି “ ମନସ୍ମୃତି ଜାଳି ମୁଁ ବିରୋଧ କରିଛି। ବହୁଦିନ ପୂର୍ବରୁ ବାବାସାହେବ ଆମ୍ବେଦକର ଏହାକୁ ଜାଳିବାର ଶୁଭାରମ୍ଭ କରିଥିଲେ। ମନୁସ୍ମୃତି ଜାଳିବାର ଉଦ୍ଦେଶ୍ୟରେ କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ। କପଟ ଓ ଛଳନା ଉପରେ ଏହି ଆକ୍ରମଣ କରାଯାଇଛି। ଏହା ହିଁ ମୋର ଉଦ୍ଦେଶ୍ୟ।”

ସେ କହିଛନ୍ତି ଏହା ତ ଆରମ୍ଭ ମାତ୍ର। ଏଭଳି ପୁସ୍ତ ରହିବା କଥା ନୁହେଁ। ଜଣେ ଲୋକ ବହିରୁ ଜ୍ଞାନ ଆହରଣ କରେ। କିନ୍ତୁ ଏହି ଭେଦଭାବ ସୃଷ୍ଟି କରି ଲୋକଙ୍କୁ ଅଲଗା କରୁଛି। ଏଥିପାଇଁ ଲୋକମାନେ ଏହାକୁ  ବିରୋଧ କରିବା ଉଚିତ୍ ବୋଲି ପ୍ରିୟା କହିଛନ୍ତି।

ସୂଚନା ଥାଉକି ପ୍ରିୟା ଦାସ୍ ଜଣେ ଶିକ୍ଷକ ହେବା ପାଇଁ ପାଠ ପଢ଼ିବା ଜାରି ରଖିଛନ୍ତି। ସେ ସିଟିଇଟି ପରୀକ୍ଷା ପାସ୍ ବି କରିବା ସହ ପିଏଚ୍‌ଡି ପାଇଁ ପ୍ରସ୍ତୁତ ହେଉଛନ୍ତି। ମନୁ ସ୍ମୃତି ପୁସ୍ତକକୁ ନେଇ ସେ କହିଛନ୍ତି ଯେ ଏହି ବହିରେ ଅନେକ ମଣିଷ ଓ ମହିଳାଙ୍କ ବିଷୟରେ ଅନେକ କଥା ଲେଖାଯାଇଛି ଯାହା ଉଚିତ୍ ନୁହେଁ। ତେଣୁ ଏହି ବହିର ପ୍ରତି ପୃଷ୍ଠାକୁ ଜାଳି ଦେବା ଦରକାର। ଦଳିତମାନେ ଏହି ବହିକୁ ବିରୋଧ କରିବାକୁ ଆଗେଇ ଆସିବ ଉଚିତ। ମନୁ ସ୍ମୃତି ସମାଜରେ ପ୍ରଚଳିତ ସମସ୍ତ କୁପ୍ରଥାର ମୂଳକାରଣ ବୋଲି ପ୍ରିୟା ଦାସ ଅଭିଯୋଗ କରିଛନ୍ତି।

ଏହାକୁ ବିରୋଧ କରି ପ୍ରିୟା କହିଛନ୍ତି “ମନୁ ସ୍ମୃତିରେ ମହିଳା କଣ କରିବା ଉଚିତ୍ କଣ ନ କରିବା ଉଚିତ୍ ସେ ନେଇ ଅନେକ ଉପଦେଶ ଦିଆଯାଇଛି। ଆଉ ମୁଁ ସିଗାରେଟ୍ ଟାଣି ଏହାର ବିରୋଧ କରିଛି।” ତେବେ ସେ ଯାହା କରିଛନ୍ତି ଏଥିପାଇଁ କିଏ କଣ କହିଲେ ତାଙ୍କର କିଚି ଯାଏ ଆସେ ନାହିଁ ବୋଲି ପ୍ରିୟା କହିଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକ ପ୍ରିୟାଙ୍କର ଏଭଳି କାର୍ଯ୍ୟକୁ ବିରୋଧ କରିଛନ୍ତି।

Comments are closed.