Latest Odisha News

BREAKING NEWS

ଦିଲ୍ଲୀ ଗଲେ ବୁଲିବାକୁ ଭୁଲନ୍ତୁ ନାହିଁ ଏହି ସବୁ ସ୍ଥାନ

ବ୍ୟସ୍ତ ଜୀବନରୁ ସମୟ ବାହାର କରି ବୁଲିବାକୁ ସମସ୍ତେ ଚାହାନ୍ତି । ବିଭିନ୍ନ ସ୍ଥାନ ବୁଲି ଯାଇ ସେଠାକାର ସଂସ୍କୃତି, ପରମ୍ପରା ଚଳଣୀ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ ଥାଆନ୍ତି ।

ଆମ ଦେଶ ଭାରତ ଏକ ଐତିହ ଓ ପରମ୍ପରା ସମ୍ପନ୍ନ ରାଷ୍ଟ୍ର । ଏହାର ପ୍ରତ୍ୟେକଟି ସ୍ଥାନ ପ୍ରତିପାଦନ କରେ ଏହି ମହାନ ରାଷ୍ଟ୍ରର କଳା ଓ ସଂସ୍କୃତିକୁ । ତାହେଲେ ଏହାର ରାଜଧାନୀ ବୋଲାଉଥିବା ଦିଲ୍ଲୀ ବା ଏଥିରୁ ବାଦ୍ ପଡିବ କେମିତି ।

ଚାଲନ୍ତୁ ଆମେ ଆଜି ଆପଣଙ୍କୁ କହିବୁ ରାଜଧାନୀ ଦିଲ୍ଲୀ ବିଷୟରେ । ଆପଣ ସେଠାକୁ ଗଲେ  କେଉଁ ଖାଦ୍ୟପାନୀୟର ମଜା ନେବା ସହ କେଉଁ ଐତିହାସିକ ସ୍ଥାନ ବୁଲିବେ ସେ ବିଷୟରେ ମଧ୍ୟ ଜଣେଇବୁ ।

ଦିଲ୍ଲୀ ଯିବାକୁ ପ୍ଲାନ କରୁଥିଲେ ଜାଣି ରଖନ୍ତୁ କିଛି ପର୍ଯ୍ୟଟନ ସ୍ଥଳୀ ବିଷୟରେ, ଯେଉଁଠିକୁ ଥରେ ଗଲେ ଆସିବାକୁ ଆପଣଙ୍କ ମନ ହେବ ନାହିଁ। ଆଉ ସେ ସବୁ ସୌନ୍ଦର୍ଯ୍ୟ ଆପଣଙ୍କୁ ବିମୋହିତ କରିଦେବ।

ଆପଣ ଦିଲ୍ଲୀ ଗଲେ ନିଶ୍ଚୟ ଏହି ସବୁ ସ୍ଥାନ ଯାଇ ବୁଲିବା ସହ ସେଠାକାର ଜୀବନ ଶୈଳୀ, ଖାଦ୍ୟ ପାନୀୟର ମଜା ନେଇ ଆସିବାକୁ ଜମା ଭୁଲିବେନି ।

ଇଣ୍ଡିଆ ଗେଟ୍‌

ଏହା ସହିଦମାନଙ୍କ ସମାଧି ପୀଠ। ଇଣ୍ଡିଆ ଗେଟ୍‌ର ପଥରରେ ସହିଦ ହୋଇଥିବା ଜବାନମାନଙ୍କର ନାମ ଉଲ୍ଲେ‌ଖ ରହିଛି। ଇଣ୍ଡିଆ ଗେଟ୍‌ର ମଝିରେ ଅମର ଜବାନ ଜ୍ୟୋତି ସବୁବେଳେ ଜଳୁଥାଏ। ସେହି ସ୍ଥାନକୁ ପାଖାପାଖି ଅଞ୍ଚଳରେ ଅନେକ ପାର୍କ ମଧ୍ୟ ରହିଛି।

ଆପଣ ବୁଲି ବୁଲି ଥକି ଯାଇଥିଲେ ଅବସର ବିନୋଦନ ପାଇଁ ସେହି ସ୍ଥାନକୁ ବୁଲି ଯାଇପାରିବେ। ତାହା ଆପଣଙ୍କ ମନ ମୋହିବ ନିଶ୍ଚିତ। ବିଶେଷ କରି ସନ୍ଧ୍ୟା ସମୟରେ ଏହା ବହୁତ ସୁନ୍ଦର ଦେଖାଯାଇଥାଏ।

ଲାଲ୍‌କିଲ୍ଲା

ସାହାଜାହାନଙ୍କ ଦ୍ୱାରା ତିଆରି ହୋଇଛି ଲାଲ୍‌କିଲ୍ଲା। ଏହା ଦିଲ୍ଲୀ ସହରର ମଧ୍ୟ ଭାଗରେ ରହିଛି। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୧୫ ଅଗଷ୍ଟରେ ଭାରତବାସୀଙ୍କୁ ସମ୍ବର୍ଦ୍ଧିତ କରିଥାନ୍ତି। ସେଠାରେ ଅନେକ କୋଠା ରହିଛି ଯାହାକୁ ମେହଲ୍‌ ବୋଲି କୁହାଯାଏ। ସେଠାରେ ଅନେକ ମେହଲ୍‌ର କାନ୍ଥରେ ଅନେକ ହୀରା ଏବଂ ବହୁମୂଲ୍ୟ ପଥର ଲାଗିଥିଲା ଯାହାକୁ ଇଂରେଜ ମାନେ ନେଇଯାଇଛନ୍ତି।

ଚାନ୍ଦିନିଚୌକ

ଦିଲ୍ଲୀର ଚାନ୍ଦିନିଚୌକ ନାମ ତ ଆପଣ ଅନେକ ଫିଲ୍ମରେ ଶୁଣିଥିବେ। ଏହା ଭାରତର ସବୁଠାରୁ ପୁରୁଣା ବ୍ୟସ୍ତବହୁଳ ବଜାର ମଧ୍ୟରୁ ଗୋଟେ। ଏହି ବଜାର ଲାଲ୍‌କିଲ୍ଲା ପା‌ଖରେ ଅବସ୍ଥିତ।

ଏହି ସ୍ଥାନରେ ଭଲ ବ୍ୟବସାୟ ହେଉଥିବାରୁ ଦେଶର କୋଣଅନୁକୋଣରୁ ବେପାରିମାନେ ଏହି ସ୍ଥାନକୁ ଆସିଥାନ୍ତି। ସେଠାକୁ ଗଲେ ବିଷେଶକରି ଆପଣ ମହିଳା ମାନଙ୍କର ରୂପଚର୍ଯ୍ୟାରେ ବ୍ୟବହୃତ ହେଉଥିବା ସବୁ ସାମଗ୍ରୀ ପାଇପାରିବେ।

ପରାଠେ ୱାଲି ଗଳି:

ଚାନ୍ଦିନିଚୌକଠାରେ ଥିବା ପରାଠେ ୱାଲି ଗଳି ନାମକ ସ୍ଥାନ ଖାଦ୍ୟ ଜିନିଷ ପାଇଁ ବହୁତ ଲୋକପ୍ରିୟ। ସେହି ସ୍ଥାନର ପରିକଳ୍ପନା ସାହାଜାହାନଙ୍କ ଝିଅ ଜାହାନଆରା କରିଥିଲେ ବୋଲି ଶୁଣିବାକୁ ମିଳେ ।

ଅକ୍ଷରଧାମ

ଏହାର ଅର୍ଥ ହେଉଛି ଭଗବାନଙ୍କ ଘର। ଏହା ଏକ ବିଶାଳ ମନ୍ଦିର। ସେଠାରେ ସନ୍ଧ୍ୟାରେ ଆପଣଙ୍କୁ ଚକିତ କରିଦେବା ଭଳି ଏକ ଫାଉଣ୍ଟେନ୍‌ ଶୋ’ ହୋଇଥାଏ। ଯେଉଁଥିରେ ଜଣେ ମଣିଷ ଜନ୍ମ ହେବା ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଜୀବନକାଳକୁ ପାଣି ଏବଂ ଲାଇଟ୍‌ରେ ପ୍ରଦର୍ଶନ କରାଯାଇଥାଏ।

କୁହାଯାଏ ଯେ ଦିଲ୍ଲୀ ଆସୁଥିବା ପର୍ଯ୍ୟଟକଙ୍କ ଭିତରୁ ପ୍ରାୟ ୬୦ରୁ ୭୦ ଭାଗ ପର୍ଯ୍ୟଟକ ସେହି ସ୍ଥାନକୁ ବୁଲି ଯାଇଥାନ୍ତି।

ଲୋଦି ଗାର୍ଡେନ୍‌

୯୦ ଏକର ଜାଗାରେ ନିର୍ମିତ ହୋଇଛି ଏହି ଲୋଦି ଗାର୍ଡେନ୍‌। ସେଠାକୁ ଆପଣ ବୁଲିବାକୁ ଗଲେ ଲୋଦି ବଂଶର ଅନେକ ସ୍ମାରକଗୁଡ଼ିକୁ ଦେଖିବାକୁ ପାଇବେ। ଉକ୍ତ ସ୍ଥାନ ପ୍ରକୃତି ପ୍ରେମୀଙ୍କୁ ବହୁତ ଆକର୍ଷିତ କରିଥାଏ।

Leave A Reply

Your email address will not be published.