ନୂଆଦିଲ୍ଲୀ: ସୋମବାର ଦିନ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଆଇନଜୀବୀ ମାଥ୍ୟୁସ୍ ନେଦୁମ୍ପାରା ଙ୍କର ଏକ ଅନାବଶ୍ୟକ ମନ୍ତବ୍ୟ ପାଇଁ ତାଙ୍କୁ ଭର୍ତ୍ସନା କରିଛନ୍ତି।
ଏଥି ସହ ଚେତାବନୀ ଦେଇ କହିଛନ୍ତି ଯେ ଯଦି ତାଙ୍କର ଏପରି ବ୍ୟବହାର ଜାରି ରହେ ତାହେଲେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆଇନଜୀବୀ କହିଥିଲେ ଯେ “ଆଦାନୀ-ଅମ୍ବାନୀ” ଙ୍କ ପାଇଁ ସାମ୍ବିଧାନିକ ବେଞ୍ଚ ଗଠନ କରାଯାଇଥାଏ କିନ୍ତୁ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ (NSAG)କୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଓ ଜନସାଧାରଣଙ୍କ ଆବେଦନ ର ଶୁଣାଣି କରାଯାଉନାହିଁ। ପୂର୍ବରୁ ମୋଦି ସରକାର ନ୍ୟାୟପାଳିକା ନିଯୁକ୍ତି ପାଇଁ କଲେଜିୟମ୍ ବ୍ୟବସ୍ଥାକୁ NSAG ସହିତ ବଦଳାଇ ଦେଇଥିଲେ, ଯାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ।
ସୁପ୍ରିମକୋର୍ଟର ଉଲ୍ଲେଖ ରାଉଣ୍ଡ ସମୟରେ, ମାଥ୍ୟୁସ୍ ନେଦୁମ୍ପାରା କଲେଜିୟମ୍ ବ୍ୟବସ୍ଥା ଏବଂ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନର ପୁନଃସ୍ଥାପନକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନର ଉଲ୍ଲେଖ କରିବାକୁ ଚାହୁଁଥିଲେ। ଯାହାପରେ CJI ସୂର୍ଯ୍ୟକାନ୍ତ କହିଥିଲେ ଯେ ରେଜିଷ୍ଟ୍ରିରେ ଏପରି କୌଣସି ଆବେଦନ କରାଯାଇନାହିଁ। ଯାହାକୁ ନେଇ ନେଦୁମ୍ପାରା ଏପରି ଉତ୍ତର ଦେଇଥିଲେ। ଏଥିରେ କ୍ରୋଧିତ ହୋଇ ସିଜେଆଇ ସୂର୍ଯ୍ୟକାନ୍ତ ନେଦୁମ୍ପାରାଙ୍କୁ କଡ଼ା ଚେତାବନୀ ଦେଇ କହିଥିଲେ, ଆପଣ ମୋତେ ଚଣ୍ଡିଗଡ଼ରେ, ଦିଲ୍ଲୀରେ ଦେଖିଛନ୍ତି। ମୋ କୋର୍ଟରେ ଆପଣ ଯାହା କହୁଛନ୍ତି ସେସବୁ ଭାବିକି କୁହନ୍ତୁ ଓ ସତର୍କ ରୁହନ୍ତୁ ଏବଂ ଯେପରି ଅନ୍ୟ ଖଣ୍ଡପୀଠରେ ଆପଣ ଖରାପ ବ୍ୟବହାର କରନ୍ତି ଏଠାରେ ସେପରି କରନ୍ତୁ ନାହିଁ ବୋଲି ଚେତାବନୀ ଦେଇଥିଲେ।