Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲାଯାଇଥିବା କଥାରେ ଅପପ୍ରଚାର କରାନଯାଉ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ପରେ ରତ୍ନଭଣ୍ଡାର ଖୋଲା ହୋଇଛି। ଏବେ ଏହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ।

ଦଳର ବରିଷ୍ଠ ନେତା ନିରଞ୍ଜନ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତଥା ବହୁବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷମାନେ ବାରମ୍ବାର କହି ଆସୁଛନ୍ତି ଯେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା । ଏହି କଥାଟି ସତ୍ୟ କି? କଂଗ୍ରେସ ସରକାର ସମୟରେ ୧୪.୦୭.୧୯୮୫ରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା ବୋଲି ଆରଟିଆଇ ତଥ୍ୟରୁ ଉପଲବ୍ଧ। ସେ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। ଯଦି ସେତେବେଳେ ଭିତର ରତ୍ନଭଣ୍ଡାରକୁ ଚାବି ଦ୍ୱାରା ଖୋଲାଯାଇଥିଲା, ତେବେ ଆଜି ସେ ଚାବି କେଉଁଠି ଅଛି? ତାହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଉଚିତ ।

ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବ ରାଜ୍ୟ ସରକାର ଜୁନ ମାସ ୬ ତାରିଖ ୨୦୧୮ ମସିହାରେ ଓଡିଶା ହାଇକୋର୍ଟ ପୂର୍ବତନ ବିଚାରପତି ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଏକ ଜ୍ୟୁଡିଶିଆଲ କମିଶନ ଗଠନ କରିଥିଲେ । ଏହି କମିଶନ ତାର ତଦନ୍ତ ରିପୋର୍ଟ ନଭେମ୍ବର ୨୯, ୨୦୧୮ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଗଲା ନାହିଁ । ତେଣୁ ମୋର ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ ତୁରନ୍ତ ଏ ରିପୋର୍ଟକୁ ସାର୍ବଜନୀନ କରନ୍ତୁ ବୋଲି କହିଛନ୍ତି ନିରଞ୍ଜନ।

୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଗଲା ପରେ ଚାବି କେଉଁଠାରେ ରଖାଗଲା, ତାହା ନିଶ୍ଚିତ ରୂପେ ମେକାପ୍ ରେଜିଷ୍ଟ୍ରରରେ ଲିପିବଦ୍ଧ ହୋଇଥିବ। ସେହି ଆଧାରରେ ଚାବି କେଉଁଠି ଅଛି ତାହା ବାହାର କରାଯାଉ। ରାଜ୍ୟର ଅଗଣିତ ଜଗନ୍ନାଥଙ୍କ ଭକ୍ତଙ୍କ ପାଖରେ ଭିତର ରତ୍ନଭଣ୍ଡାର ୪୬ ବର୍ଷ ପରେ ଖୋଲିବା ଭଳି ଏକ ମିଥ୍ୟା ଖବର ପ୍ରଚାର କରାନଯାଉ । ସରକାର ଏଭଳି ଅସତ୍ୟ ଖବର ପ୍ରଚାର କରିବାରୁ କ୍ଷାନ୍ତ ରୁହନ୍ତୁ ।

Comments are closed.