କିଭ: ୠଷ ଏବଂ ୟୁକ୍ରେନ ମଧ୍ୟରେ ତିନି ବର୍ଷ ଧରି ଚାଲିଥିବା ବିବାଦ ଓ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ ବରଂ ଏହା ଦିନକୁ ଦିନ ଆହୁରି ସାଂଘାତିକ ହେବାରେ ଲାଗିଛି। ତେବେ ରବିବାର ଦିନ ଋଷ ୟୁକ୍ରେନର ସୁମି ସହର ଉପରେ ଆଉ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ଜଣାପଡିଛି। ଏହି ଆକ୍ରମଣ ପାମ୍ ସଣ୍ଡେ ପର୍ବ ପାଳନ କରିବା ଅବସରରେ ହୋଇଥିଲା।
ତେବେ ସୁମି ସହରର କାର୍ଯ୍ୟକାରୀ ମେୟର ଆର୍ଟେମ କୋବଜାର ଏହି ଆକ୍ରମଣ ଉପରେ ସୋସିଆଲ ମିଡିଆରେ କହିଛନ୍ତି ଯେ ପାମ୍ ସଣ୍ଡେର ଏହି ପବିତ୍ର ଅବସରରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣରେ ସହର ଏକ ଭୟଙ୍କର ଦୁଃଖଦ ଘଟଣାର ସମ୍ମୁଖିନ ହୋଇଛି। ଯାହା ଫଳରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ତେବେ ବର୍ତ୍ତମାନ ଆହତଙ୍କ ଚିକିତ୍ସା ଚାଲିଛି ଏବଂ ରିଲିଫ୍ କାର୍ଯ୍ୟ ମଧ୍ୟ ଜାରି ରହିଛି।
ନୂଆଦିଲ୍ଲୀସ୍ଥିତ ୟୁକ୍ରେନୀୟ ଦୂତାବାସ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ ମସ୍କୋ ଜାଣିଶୁଣି ୟୁକ୍ରେନରେ ଥିବା ଭାରତୀୟ ଔଷଧ କମ୍ପାନୀ କୁସୁମ ଫାର୍ମାର ଗୋଦାମ ଉପରେ ଆକ୍ରମଣ କରିଛି। ପିଲା ଏବଂ ବୟସ୍କ ମାନଙ୍କ ପାଇଁ ଥିବା ସମସ୍ତ ଔଷଧ ନଷ୍ଟ କରିବାରେ ଲାଗିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଋଷ ଭାରତ ସହିତ ବନ୍ଧୁତ୍ଵ ଦାବି କରିବା ସତ୍ତ୍ଵେ ମଧ୍ୟ ଭାରତୀୟ ବ୍ୟବସାୟକୁ ଟାର୍ଗେଟ କରୁଛି।
ଆମେରିକାର ମଧ୍ୟସ୍ଥତାରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଏକ ଅସ୍ଥାୟୀ ଚୁକ୍ତି ହେବା ପରେ ଉଭୟ ଦେଶ ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଯୋଜନା କରିବା ସମୟରେ ହିଁ ଏପରି ଆକ୍ରମଣ ଘଟିଛି।
Comments are closed.