Latest Odisha News

୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ବର: ଓଡ଼ିଶାର ସୁପ୍ରତିଷ୍ଠିତ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର କେ ଲକ୍ଷ୍ମୀ ବାଈଙ୍କର ୧୦୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ତାଙ୍କ ଭାବନଗର ବାସଭବନରେ ସେଲିବ୍ରେସନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୁଭେଚ୍ଛା ଜଣାଇ ତାଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ରାଷ୍ଟ୍ରପତି ଲକ୍ଷ୍ମୀ ବାଈଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତିପୂର୍ଣ୍ଣ ଜୀବନର କାମନା କରିଥିଲେ।

ତେବେ ଡକ୍ଟର ଲକ୍ଷ୍ମୀ ତାଙ୍କ ଦାନଶୀଳତା ପାଇଁ ମଧ୍ୟ ପରିଚିତ ଅଟନ୍ତି। ସେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏମସ୍ ଭୁବନେଶ୍ୱରକୁ ତାଙ୍କ ଜୀବନ କାଳ ମଧ୍ୟରେ ସଞ୍ଚୟ କରିଥିବା ସମସ୍ତ ଧନରାଶି ଅର୍ଥାତ୍ ୩.୪୦ କୋଟି ଟଙ୍କା ଦାନ କରିଦେଇଥିଲେ। ଏମସ୍ରେ ସ୍ତ୍ରୀ ରୋଗ ଅଙ୍କୋଲୋଜି ବିଭାଗକୁ ସୁଦୃଢ଼ କରିବା ସହ କର୍କଟ ରୋଗ ସହିତ ଲଢ଼ୁଥିବା ଅଗଣିତ ମହିଳାଙ୍କ ଚିକିତ୍ସା କରାଇବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।

ତେବେ ତାଙ୍କ ଜନ୍ମଦିନ ଅବସରରେ ଡକ୍ଟର ବାଈ ଏକ ଚମକଦାର କ୍ରାଉନ ପିନ୍ଧି କେକ୍ କାଟୁଥିବାର ଏକ ଭିଡିଓରେ ନଜର ଆସିଥିଲେ। ଯେଉଁଥିରେ ଚିକାଗୋରୁ ତାଙ୍କ ଭଣଜା ଡାକ୍ତର ଶାନୁ ଜନ୍ ସମେତ ବରିଷ୍ଠ ଡାକ୍ତର, କିଛି ଶିଷ୍ୟ ଏବଂ ପରିବାର ସଦସ୍ୟ ସାମିଲ ଥିବାର ନଜର ଆସିଥିଲେ।ତେବେ ଏହି ସମାରୋହରେ ପବିତ୍ର ଶ୍ଲୋକ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ରେ ସାରା ପରିବେଶ ପ୍ରକମ୍ପିତ ହୋଇଯାଇଥିଲା।

 

Comments are closed.