Latest Odisha News

ପ୍ରେମ, ପ୍ରତାରଣାରୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ?

କେନ୍ଦୁଝର: ନୂଆବର୍ଷକୁ ସ୍ୱାଗତ କରିବାକୁ ବିଳମ୍ବିତ ରାତିରେ ସହଯୋଗୀଙ୍କ ସହ ବେଶ ଝୁମିଥିଲେ ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର। ହେଲେ ସକାଳୁ ନୂଆ ଆଶା ନେଇ ଆଖି ଖୋଲିବା ବେଳକୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଯାହାକୁ ନେଇ ଏବେ ସସପେନ୍ସ ବଢିଛି। ମୃତ ଡାକ୍ତରଙ୍କ ବୟସ ୨୫। ହଠାତ ରାତିରେ ଜଣେ ବେଶ ଖୁସିଥିବା ଜଣାପଡୁଥିବା ଯୁବତୀ ଜଣଙ୍କଙ୍କ ସହ କିଛି ଘଣ୍ଟା ମଧ୍ୟରେ ଏପରି କଣ ଘଟିଲା ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ସସପେନ୍ସ ବଢ଼ିଛି।

ଏହାରି ଭିତରେ ବିଳମ୍ବିତ ରାତିରେ ହସ୍ପିଟାଲ ଭିତରେ ଶୁଭଶ୍ରୀଙ୍କ ସହିତ ନାଚ ଗୀତ କରୁଥିବା ଜଣେ ବ୍ୟକ୍ତି ତଥା ହସ୍ପିଟାଲର କର୍ମଚାରୀଙ୍କ କହିବାନୁସାରେ, ଡାକ୍ତର ଶୁଭଶ୍ରୀ କର ନିଜେ ସେମାନଙ୍କ ସହ ନୂଆବର୍ଷ ପାଳନ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ସେ ନିଜେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ। ସେ ମଧ୍ୟ ବିଳମ୍ବିତ ରାତି ଯାଏ ସେଲିବ୍ରେସନରେ ଗୀତ ଗାଇବା ଓ ନାଚିବାରେ  ସାମିଲ ହୋଇଥିଲେ। ହେଲେ ପ୍ରାୟ ରାତି ୧.୩୦ରେ ନିଜ ରୁମରେ ଶୋଇବାକୁ ଯାଇଥିଲେ।

ପରଦିନ ସକାଳେ ଯେତେବେଳେ ତାଙ୍କ ରୋଷେୟା ଘରକୁ ଆସି ତାଙ୍କ ରୁମର କବାଟ ବାଡ଼େଇଥିଲେ, ସେତେବେଳେ ଡାକ୍ତର କବାଟ ଖୋଲିନଥିଲେ। ଏହାପରେ ରୋଷେୟା ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କୁ ଖବର ଦେଇଥିଲେ। ପରେ ଡାକ୍ତରଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ଥିବା ଦେଖେଇଥିଲା। କିନ୍ତୁ ଡାକ୍ତର ଜଣଙ୍କ କୌଣସି ଉତ୍ତର ଦେଇନଥିଲେ। ବାରମ୍ବାର ଡାକିବା ପରେ ଡାକ୍ତର କବାଟ ନ ଖୋଲିବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ।

ସନ୍ଧ୍ୟାରେ ଯୋଡା ଥାନା ପୁଲିସର ଏକ ଟିମ୍ ଆସି ମାଜିଷ୍ଟ୍ରେଟ (ତହସିଲଦାର)ଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେଠାରେ ସେମାନେ ଡାକ୍ତର ଶୁଭଶ୍ରୀ କରଙ୍କୁ ଖଟ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯେଉଁ ବ୍ଲାକ ଟପ୍ ଏବଂ ଡେନିମ ରଙ୍ଗର ପ୍ୟାଣ୍ଟ ପିନ୍ଧି ଶୁଭଶ୍ରୀ ବିଳମ୍ବିତ ରାତିରେ ସହକର୍ମୀଙ୍କ ସହ ନାଚୁଥିଲେ ସମାନ ଡ୍ରେସ ପିନ୍ଧି ସେ ତାଙ୍କ ରୁମରୁ ଉଦ୍ଧାର ହୋଇଥିଲେ। ପରେ ତାଙ୍କୁ ଟାଟା ଷ୍ଟିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଉକ୍ତ ରୁମ୍ରୁ ଡାକ୍ତରଙ୍କ ମୋବାଇଲ୍ ଫୋନ୍, ଔଷଧ ଓ କିଛି କାଗଜପତ୍ର ଜବତ କରିଛି। ଡାକ୍ତର ଶୁଭଶ୍ରୀ କରଙ୍କ ବାବଦରେ ଏବେ କିନ୍ତୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପାଖରେ ଥିବା  ଏକ ଘରୋଇ ଖଣିର ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ସହ ପ୍ରେମ ସମ୍ପର୍କ ଥିବା ଜଣାପଡିଛି। ଡିସେମ୍ବର ୨୦ ତାରିଖରେ ଯୋଡା ଥାନାରେ ଦିବ୍ୟରଞ୍ଜନଙ୍କ ନାଁରେ ଶୁଭଶ୍ରୀ ଏତଲା ଦେଇଥିଲେ। ଏତଲାରେ ସେ ଉଲ୍ଲେଖ କରି କହିଥିଲେ ଡାକ୍ତର ଦିବ୍ୟରଞ୍ଜନ ତାଙ୍କ ସହ ପ୍ରେମ କରି ଶାରୀରିକ ସମ୍ପର୍କ ରଖିଥିଲେ  ବିବାହ କରିବାକୁ। ହେଲେ ବିବାହ ପାଇଁ ପଛଘୁଞ୍ଚା ଦେଇଥିଲେ। ଏହାପରେ ଶୁଭଶ୍ରୀ ଦିବ୍ୟରଞ୍ଜନଙ୍କ ନାଁରେ ଏତଲା ଦେଇଥିଲେ। ଡାକ୍ତର ମାଝୀଙ୍କ ସହ ଗତ ୬ ବର୍ଷ ହେବ ତାଙ୍କର ସମ୍ପର୍କ ଥିଲା ବୋଲି ଜଣାପଡିଛି।

ପୁଲିସ ଏତଲା ଆଧାରରେ ତଦନ୍ତ କରି ଧାରା ୧୬୪ରେ ଶୁଭଶ୍ରୀଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି। ବଡ଼ବିଲ ଜେଏମ୍ଏଫସି କୋର୍ଟରେ ଡାକ୍ତର କରଙ୍କ ବୟାନ ରେକର୍ଡ ହୋଇଥିଲା ବୋଲି ସୂଚନା ରହିଛି।

Comments are closed.