Latest Odisha News

ଡ୍ରାଭିଡ ଅତିରିକ୍ତ ୨.୫ କୋଟି ଟଙ୍କାର ବୋନସ ନେବାକୁ ମନା କଲେ

ମୁମ୍ବାଇ: ଭାରତ ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ଜିତିବା ପରେ ପୁରସ୍କାରର ସୁଅ ଛୁଟିବାରେ ଲାଗିଛି । ବିସିସିଆଇ ଖେଳାଳିମାନଙ୍କ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଏହି ରାଶିକୁ ଭାଗ କରାଯିବା ବେଳେ କୋଚ ରାହୁଲ ଡ୍ରାଭିଡଙ୍କ ଭାଗରେ ୫ କୋଟି ଟଙ୍କା ପଡିଥିଲା । ତେବେ ଅନ୍ୟ କୋଚିଂ ଷ୍ଟାଫଙ୍କୁ ୨.୫ କୋଟି ଦିଆଯିବା ତାଙ୍କୁ ପସନ୍ଦ ଆସି ନ ଥିଲା । ସେ ନିଜର ଅତିରିକ୍ତ ୨.୫ କୋଟି ଟଙ୍କା ଫେରାଇ ଦେଇଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଡ୍ରାଭିଡଙ୍କୁ ବିକ୍ରମ ରାଠୋର, ପାରସ ମାହାମ୍ବ୍ରେ ଓ ଟି ଦିଲୀପ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଡ୍ରାଭିଡଙ୍କ କହିବା ଅନୁସାରେ ଆମ ସମସ୍ତଙ୍କୁ ସମାନ ରାଶି ମିଳିବା ଉଚିତ । ମୁଁ କାହିଁକି ଅଧିକ ଅର୍ଥ ନେବି ?

ତାଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପରେ ରନର୍ସଅପ ହୋଇଥିବା ବେଳେ ଏବେ ୧୭ ବର୍ଷ ପରେ ଟି୨୦ ବିଶ୍ୱକପ ଜିତିବା ଗୌରବ ଅର୍ଜନ କରିଛି । ରୋମାଂଚକ ଫାଇନାଲରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା । ଡ୍ରାଭିଡଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ତାଙ୍କ ସ୍ଥାନରେ ଗୌତମ ଗମ୍ଭୀରଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି ।

Comments are closed.