ବାଲେଶ୍ବର : ଖୋଲୁଛି ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକର ଗୁମର । ବିଦେଶୀ ରାଷ୍ଟ୍ରକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତ ହେଲା ଉତ୍ତରପ୍ରଦେଶର ସଚିନ କୁମାର ଛେତା । ସେ ପ୍ରତିରକ୍ଷା ବିଭାଗରେ ସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲା । ସେ ଚାନ୍ଦିପୁର ଆଇଟିଆର କଲୋନୀରେ ରହୁଥିଲା । ଚାନ୍ଦିପୁର ପୋଲିସ ସଚିନକୁ ବାଲେଶ୍ବର ଏସଡିଜେଏମ କୋର୍ଟରେ ହାଜର କରିଥିଲା । ହେଲେ ଜାମିନ ନାମଞ୍ଜୁର ହେବାରୁ ସଚିନକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଅନ୍ୟପଟେ ବାଲେଶ୍ବରରେ ପହଞ୍ଚି କ୍ରାଇମବ୍ରାଞ୍ଚର୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛି । ଅତିରିକ୍ତ ଏସ୍ପି ପ୍ରଶାନ୍ତ ବିଶୋଇଙ୍କ ନେତୃତ୍ବରେ ତଦନ୍ତ କରୁଛି ଟିମ୍ । କେସ୍ ରେକର୍ଡ଼ ଦେଖିବା ପରେ ଆଗେଇବ ତଦନ୍ତ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ ବୋଲି ସୂଚନା ଦେଲେ କ୍ରାଇମ୍ବ୍ରାଞ୍ଚର ଅତିରିକ୍ତ ଏସ୍ପି ପ୍ରଶାନ୍ତ ବିଶୋଇ । ମାମଲାରେ ପୂର୍ବରୁ ୪ ଜଣ ଅଭିଯୁକ୍ତ ଝାମ୍ପୁରା ଅଞ୍ଚଳର ବସନ୍ତ ବେହେରା, ଶ୍ରୀକୋଣ ଅଞ୍ଚଳର ସେଖ୍ ମୁସାଫିର, ପାଳସିଆ ଅଞ୍ଚଳର ତାପସ ନାୟକ ଓ ସଦର ଥାନା ବୁଆଁଳ ଅଞ୍ଚଳର ହେମନ୍ତ ମିସ୍ତ୍ରୀକୁ ଗିରଫ କରାଯାଇଛି ।
ବସନ୍ତ ଓ ମୁସାଫିର ଆଇଟିଆର ଅଧିନରେ ଏସି ଅପରେଟର କାର୍ଯ୍ୟ କରୁଥିବା ବେଳେ, ହେମନ୍ତ ଡିଜି ଅପରେଟର ଭାବେ ଠିକା କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲା । ବସନ୍ତ ପ୍ରଥମେ ଫେସବୁକ ଓ ହ୍ବାଟ୍ସ ଆପ୍ରେ ଭଏସ ଓ ଭିଡିଓ କଲ୍ ମାଧ୍ୟମରେ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବେଳେ, ତାଙ୍କ ପ୍ରରୋଚନାରେ ପଡି ଅନ୍ୟମାନେ ବିଦେଶୀ ଗୁପ୍ତଚର ସଂସ୍ଥାର ହନିଟ୍ରାପରେ ଫସିଥିବା ଜଣାପଡିଛି । ବିଶେଷ କରି ମହିଳାଙ୍କ ସହ ଅଭିଯୁକ୍ତମାନେ ଅଶ୍ଳୀଳ ଚାଟିଂ କରୁଥିବା ସୂଚନା ମିଳିଛି । ପରେ ସମ୍ପୃକ୍ତ ମହିଳାଙ୍କ ମାଧ୍ୟମରେ ଅଭିଯୁକ୍ତମାନେ ବିଦେଶୀ ଏଜେଣ୍ଟକୁ ପ୍ରତିରକ୍ଷା ବିଭାଗର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ସନ୍ଦେହ କରାଯାଇଛି ।
Comments are closed.